ବଡ଼ଖେମୁଣ୍ଡି ରାଣୀଙ୍କ ପରଲୋକ

ଦିଗପହଣ୍ଡି,୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିର ବଡ଼ଖେମୁଣ୍ଡି ରାଣୀ ତଥା ଯୁବରାଜ ସ୍ବର୍ଗତ ମାଣିକେଶ୍ବରୀ ପ୍ରସାଦ ଦେବଙ୍କ ଧର୍ମପତ୍ନୀ ପୂର୍ଣ୍ଣେଶ୍ବରୀ ଦେବୀଙ୍କ ୭୪ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ଅସୁସ୍ଥ ଥିଲେ। ବ୍ରହ୍ମପୁରସ୍ଥିତ ବଡ଼ଖେମୁଣ୍ଡି ବଙ୍ଗଳା ବାସଭବନରେ ତାଙ୍କର ଦେହାନ୍ତ ହେବା ପରେ ମରଶରୀରକୁ ଦିଗପହଣ୍ଡିସ୍ଥିତ ରାଜବାଟୀକୁ ଅଣାଯାଇଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଣୀଙ୍କ ଶେଷଦର୍ଶନ କରିଥିଲେ। ମରଶରୀରକୁ ଦିଗପହଣ୍ଡି ଷ୍ଟେଟ୍‌ବ୍ୟାଙ୍କ ନିକଟ ରାଜ ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଥିଲା। ଜ୍ୟେଷ୍ଠପୁତ୍ର ଲକ୍ଷ୍ମୀ ନାରାୟଣ ଦେବ ମୁଖାଗ୍ନି ଦେଇଥିବା ବେଳେ ମଧ୍ୟମ ପୁତ୍ର ଧର୍ମପ୍ରତାପ ଦେବ ଏବଂ କନିଷ୍ଠ ପୁତ୍ର ଦେବବ୍ରତ ଦେବଙ୍କ ସମେତ ସମ୍ପର୍କୀୟ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।