Categories: ବାଣିଜ୍ୟ

ପୋଲ୍‌ଟ୍ରି ଶିଳ୍ପକୁ କ୍ଷତି ୨୬ ହଜାର କୋଟି

ଭୁବନେଶ୍ୱର ,୧୪।୮: କୁକୁଡ଼ା ମାଂସ ଖାଇବା ଦ୍ୱାରା କୋଭିଡ୍‌ ବ୍ୟାପୁଥିବା ନେଇ ଏକ ଭୁଲ୍‌ ସୂଚନା ପ୍ରସାରଣ ହେବା ଯୋଗୁ ପୋଲ୍‌ଟ୍ରି ଶିଳ୍ପକୁ କ୍ଷତି ସହିବାକୁ ପଡିଛି। ସେହିଭଳି ଲକ୍‌ଡାଉନ ଯୋଗୁ ଦେଶବ୍ୟାପୀ ଯୋଗାଣ ଏବଂ ପରିବହନ ବ୍ୟବସ୍ଥା ଠପ୍‌ ହୋଇଯିବାରୁ ଗତ ୩ ମାସ ମଧ୍ୟରେ ପୋଲ୍‌ଟ୍ରି ଶିଳ୍ପ ପ୍ରାୟ ୨୬ ହଜାର କୋଟି ଟଙ୍କାର କ୍ଷତି ସହିଥିବା ଶିଳ୍ପ ସୂତ୍ରରୁ ଜଣାପଡ଼ିଛି। ଏହା ସହିତ ସୋୟାମିଲ ଭଳି ମୂଳ କଞ୍ଚାମାଲ ଦର ପ୍ରାୟ ୧୦ରୁ ୧୫ ବଢ଼ିଛି। ନଗଦ ଟଙ୍କା ଅଭାବରୁ ୭୦ ନିୟୁତରୁ ଅଧିକ କ୍ଷୁଦ୍ର ଚାଷୀ ସମସ୍ୟା ସାମ୍ନା କରୁଛନ୍ତି। ବର୍ତ୍ତମାନ ସେମାନଙ୍କ ଜୀବିକା ଉପରେ ସଙ୍କଟ ସ୍ଥିତି ଉପୁଜିଛି। ଏ ନେଇ କେନ୍ଦ୍ର ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟଚାଷ ମନ୍ତ୍ରଣାଳୟ ଓ ସିଆଇଆଇ ସହାୟତାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ପୋଲ୍‌ଟ୍ରି ଶିଳ୍ପ ପ୍ରତିନିଧିଙ୍କ ଓ୍ବେବିନାରରେ ଏଭଳି ମତ ପ୍ରକାଶ ପାଇଛି।
ଗତ ୩ ମାସ ମଧ୍ୟରେ କୁକୁଡ଼ାମାଂସ ମୂଲ୍ୟ ବଢ଼ିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ପଶୁପାଳନ ଭିତ୍ତିଭୂମି ପାଣ୍ଠି ନିମନ୍ତେ ୧୫ ହଜାର କୋଟି ଟଙ୍କା ବ୍ୟୟ ବରାଦ ଏହି ଶିଳ୍ପର ବିକାଶ ଦିଗରେ ସହାୟକ ହେବ ବୋଲି ବିଶେଷଜ୍ଞ ଆଶାବାଦୀ ରହିଛନ୍ତି। କାର୍ଯ୍ୟକ୍ରମରେ ଅନମୋଲ୍‌ ଫିଡ୍‌ସ ନିର୍ଦ୍ଦେଶକ ଅମିତ ସରାଓଗି ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ, ଏକୀକରଣ କୁକୁଡା ପାଳନରେ ଚାଷୀମାନେ ବିଶେଷ ଫାଇଦା ପାଇନାହାନ୍ତି। ସେମାନେ ମୁକ୍ତ ଚାଷ ଦ୍ୱାରା ଉନ୍ନତ ଲାଭ କରିପାରିବେ। ମହାମାରୀ ମଧ୍ୟରେ ଶିଳ୍ପ ପୂର୍ବ ସ୍ଥିତିକୁ ଫେରିବା ଲାଗି ଆଶାବାଦୀ ରହିଥିବା ଅଂଶୀଦାର ମାନେ ମତ ପ୍ରକାଶ କରିଛନ୍ତି।

Share