ଉପଶମ ହେଉଛି ଉପାନ୍ତ କ୍ଷତ

ଢେଙ୍କାନାଳ ଅଫିସ୍‌, ୧୩।୪: ଶିଳ୍ପରେ ସମୃଦ୍ଧ। ଅଥଚ ଅପହଞ୍ଚ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶାର ଅନ୍ତ ହେଉ ନ ଥିଲା। କେତେବେଳେ ଭୋକର ଭୂଗୋଳ ତ ଆଉ କେବେ ଜନନୀ ଯନ୍ତ୍ରଣାର ଚିତ୍ର ଦୋହଲାଇ ଦେଉଥିଲା। ନା ନା ଯୋଜନା ସତ୍ତ୍ୱେ ବର୍ଷ ବର୍ଷ ଧରି ବଦଳୁ ନ ଥିଲା ଚିତ୍ର। କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଚିହ୍ନଟ ଉପାନ୍ତ ଗ୍ରାମଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ଏବେ ଉଜ୍ଜୀବିତ ହୋଇଛି ଆଶା। ଢେଙ୍କାନାଳର ୪୮ ଦୁର୍ଗମ ଗ୍ରାମ ମଧ୍ୟରୁ ୩୮ଟି ମୁଖ୍ୟସ୍ରୋତ ସହିତ ଯୋଡ଼ିହେଲାଣି। ଅବଶିଷ୍ଟ ୧୦ ଗ୍ରାମ ମଧ୍ୟ ଖୁବ୍‌ଶୀଘ୍ର ଏହି ପ୍ରକ୍ରିୟାରେ ସାମିଲ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି ଜିଲା ପ୍ରଶାସନ।
ରାଜ୍ୟରେ କୌଣସି ଅଞ୍ଚଳ ଅପହଞ୍ଚ ରହିବ ନାହିଁ। ରାଜ୍ୟ ସରକାରଙ୍କ ଏଭଳି ନିର୍ଦ୍ଦେଶ ପରେ ପ୍ରାୟ ଦେଢ଼ ବର୍ଷ ତଳେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଦୁର୍ଗମ ଅଞ୍ଚଳକୁ ମୁଖ୍ୟସ୍ରୋତରେ ଯୋଡ଼ିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ନିୟମିତ କ୍ଷେତ୍ର ପରିଦର୍ଶନ ଓ ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା ପରେ ଜିଲାର ୮ ବ୍ଲକରେ ଚିହ୍ନଟ ୪୮ ଦୁର୍ଗମ ଗ୍ରାମର ଚିତ୍ର ବଦଳିବାରେ ଲାଗିଛି। ତନ୍ମଧ୍ୟରୁ ୩୮ଟି ଗ୍ରାମରେ ସରକାରଙ୍କ ଜନହିତକର ଯୋଜନା ପହଞ୍ଚତ୍ଛି। ଅବଶିଷ୍ଟ ୧୦ ଗ୍ରାମ ଏବେ ପ୍ରଶାସନର ଫୋକସ୍‌ରେ ରହିଛି।
ଢେଙ୍କାନାଳ ସଦର ବ୍ଲକର କରଡ଼ମଡ଼ା, ବଲାଙ୍ଗୀପାଟଣା, ଫୁଲଝରିସାହି, କୁସୁପଦା, ଖୋଲସାହି, ଗଁଦିଆ ବ୍ଲକର ଜାମୁନାଳିଆ, ଦଧିଖିଆ, ଧାମଘରଖୋଲା, କୋହ୍ଲା, ଓଡ଼ାପଡ଼ା ବ୍ଲକର ଲକ୍ଷ୍ମୀକାନ୍ତପୁର, ଦଲକ, ତାମଣ୍ଡା, ବଡ଼ନଡ଼ବ, ସାନନଡ଼ବ, ଖଇରାସାହି, ଜରିପାଳ, ହିନ୍ଦୋଳ ବ୍ଲକର ଗୁରୁଜାଙ୍ଗ, କନକା, ରଜାଙ୍ଗ, ଦେଉଳସାହି, ଗୁଣ୍ଡିଚାନାଳୀ, ମାଝିସାହି, ଜୁଆଙ୍ଗସାହି, ନୂଆସାହି, ଦେହୁରୀନାଳି, କାମାକ୍ଷାନଗର ବ୍ଲକର କିଆପାଟଣି, ମହୁଲଟାଙ୍ଗର, ଜଲସା, କଟା ହରିଜନସାହି, ସୁନାଝରି, ଚୁଳିଆମୁଣ୍ଡାସାହି, ପରଜଙ୍ଗ ବ୍ଲକର ରଘୁଆବିଲି, କାଦବସନ୍ତ, ରଙ୍ଗମାଟିଆ, ବରକଟା, ଅଲେଖପାଟଣା, ବେଲବସନ୍ତ, ସୋଲଗାଡ଼ିଆ, କଙ୍କଡ଼ାହାଡ଼ ବ୍ଲକ ପାକଟମୁଣ୍ଡା, ବାଜିଆସାହି, ଏକୁଲ-ସେକୁଲ, ପୁଟ୍ଟିପାଳ, ଓମେନ୍ଦ୍ର, ଚକୁଳିଆଡିହ, ଫୁଲଝରି, କାଟେଣି (କାଉବସା), ଭୁବନ ବ୍ଲକର ଅରିଲୋ, ଦଧିସିଙ୍ଗା, ଛାଟିଆସାହି, ଥୋରିଆଷେଣ୍ଢ, ନୃସିଂହପୁର, କରଡ଼ାପାଳ, ସର୍ପେଣିକୁ ଉପାନ୍ତ ଗ୍ରାମ ତାଲିକାଭୁକ୍ତ କରାଯାଇଛି।
ବଣଜଙ୍ଗଲଘେରା ଦୁର୍ଗମ ସ୍ଥାନରେ ଥିବାରୁ ଏସବୁ ଗ୍ରାମକୁ ଯିବାକୁ ସବୁଦିନିଆ ରାସ୍ତା ନ ଥିଲା। ଲୋକମାନେ ଶିକ୍ଷା, ସ୍ବାସ୍ଥ୍ୟ ସମେତ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ରହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା ପହଞ୍ଚତ୍ ପାରୁ ନ ଥିବାରୁ ବନବାସୀ ଏବଂ ପଛୁଆ ବର୍ଗର ବହୁ ପରିବାର ମୁଖ୍ୟସ୍ରୋତରେ ସାମିଲ ହୋଇପାରୁ ନ ଥିଲେ। ତେବେ ଜିଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ସମ୍ପୃକ୍ତ ବ୍ଲକର ବିଡିଓଙ୍କ ସମେତ ପଦସ୍ଥ ପ୍ରଶାସନିକ ଅଧିକାରୀମାନେ ଗୋଟିଏ ଗୋଟିଏ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ନିୟମିତ ଉକ୍ତ ଗ୍ରାମ ପରିଦର୍ଶନ କରି ଲୋକଙ୍କ ପ୍ରକୃତ ସମସ୍ୟା ପଚାରି ବୁଝିବା ସହ ସେଗୁଡ଼ିକର ସମାଧାନ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ। ଫଳରେ ଦେଢ଼ ବର୍ଷରେ ୩୮ ଗ୍ରାମକୁ ବିଜୁଳି ସଂଯୋଗ ଦିଆଯାଇଛି। ଏଥିସହ ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମିର ଆଖିଦୃଶିଆ ବିକାଶ ହୋଇଛି। ହିତାଧିକାରୀଙ୍କୁ ସୁବିଧାରେ ପିଡିଏସ୍‌ ସାମଗ୍ରୀ ଯୋଗାଣ କରାଯାଉଛି। ସ୍ବତନ୍ତ୍ର ଶିବିର କରି ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ମାଧ୍ୟମରେ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି।