୫ମିନିଟ୍‌ ବ୍ୟବଧାନରେ ଜୀବନ ହାରିଲେ ଦମ୍ପତି

ସମ୍ବଲପୁର,୩୦ା୧୨(ବ୍ୟୁରୋ):ଅଗ୍ନିକୁ ସାକ୍ଷୀ ରଖି ସାତଜନମକୁ ସାଥି ହୋଇଥିଲେ। ଗୋଟିଏ ଜନମ ବେଶ୍‌ ହସଖୁସିରେ ଜୀବନ ଅତିବାହିତ କଲେ। ମୃତ୍ୟୁ ସମୟରେ ବି ପରସ୍ପରଠାରୁ ଅଲଗା ହେଲେ ନାହିଁ। ମାତ୍ର ୫ମିନିଟ୍‌ ବ୍ୟବଧାନରେ ଆରପାରିକୁ ଚାଲିଯାଇଛନ୍ତି ଏକ ଦମ୍ପତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲା ଡଙ୍ଗାପାଲ ଗ୍ରାମରେ। ଗ୍ରାମର କାର୍ତ୍ତିକ ପ୍ରଧାନ (୭୨) ଓ ସ୍ତ୍ରୀ ଅନସୂୟା (୬୭)ଙ୍କ ଗୁରୁବାର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁସାରେ କାର୍ତ୍ତିକ ବହୁଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ସ୍ତ୍ରୀ ଅନସୂୟା ତାଙ୍କ ସେବାଶୁଶ୍ରୂସା କରୁଥିଲେ। ୧୦ବର୍ଷ ପୂର୍ବରୁ ପୁଅର ମୃତ୍ୟୁ ଘଟିଥିବା ବେଳେ ଝିଅ ପ୍ରଭାତୀଙ୍କୁ ଅନ୍ୟତ୍ର ବାହା ଦେଇଛନ୍ତି। ବାର୍ଦ୍ଧକ୍ୟ ସମୟରେ ମଧ୍ୟ ସ୍ବାଭିମାନକୁ ବଞ୍ଚାଇବାକୁ ଯାଇ ସେମାନେ କାହାର ସହଯୋଗ ନେଇ ନ ଥିଲେ। ହେଲେ ଦଇବ କିଛି ଅଲଗା ଳେଖିଥିଲା। ମଙ୍ଗଳବାର ଗାଧୋଇବାକୁ ଆସିବା ସମୟରେ ଅନସୂୟା ହଠାତ୍‌ ପଡିଯାଇ ଆହତ ହୋଇଥିଲେ। ଖବର ପାଇ ଝିଅ ପ୍ରଭାତୀ ଗ୍ରାମରେ ପହଞ୍ଚତ୍ ମା’ଙ୍କୁ ବୁର୍ଲା ମେଡିକାଲକୁ ନେଇଥିଲେ। ଦୁଇଦିନ ହେଲା ଅନସୂୟା ଚିକିତ୍ସିତ ହେଉଥିବା କାର୍ତ୍ତିକ ଜାଣିପାରି ଭାଙ୍ଗିପଡିଥିଲେ। ଏପରି କି ଖାଇବା ମଧ୍ୟ ଛାଡି ଦେଇଥିଲେ। ଗୋଟିଏପଟେ ସ୍ବାସ୍ଥ୍ୟଗତ ସମସ୍ୟା ଓ ଅନ୍ୟପଟେ ଅନସୂୟା ମେଡିକାଲରେ ଭର୍ତ୍ତିହେବା ଖବର ତାଙ୍କୁ ମ୍ରିୟମାଣ କରିଦେଇଥିଲା। ଶେଷରେ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ୪୦ ମିନିଟରେ କାର୍ତ୍ତିକ ମୃତ୍ୟୁବରଣ କରିଥିଲେ। ପରିଜନ ଏହା ଜାଣିବା ପରେ ବୁର୍ଲା ମେଡିକାଲରେ ଥିବା ଝିଅକୁ ଏ ସମ୍ପର୍କରେ ଜଣାଇଥିଲେ। ପ୍ରଭାତୀ ଓଲଟା ମାଆ ମଧ୍ୟ ଜୀବନ ହାରିଦେଇଥିବା ବନ୍ଧୁବାନ୍ଧବଙ୍କୁ କହିଥିଲେ। ଉଭୟଙ୍କ ମୃତ୍ୟୁ ପ୍ରାୟ ୫ରୁ ୭ ମିନିଟ ଭିତରେ ହୋଇଥିବା ପରିବାରବର୍ଗ କହିଛନ୍ତି। ଅନ୍ୟପଟେ ଏହି ଘଟଣା ପ୍ରଚାର ହେବା ପରେ ଡଙ୍ଗାପାଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଗ୍ରାମର ଶତାଧିକ ମହିଳାପୁରୁଷ ଶେଷ ଦର୍ଶନ କରିବା ପାଇଁ ଅପେକ୍ଷା କରିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ବୁର୍ଲା ମେଡିକାଲରେ ଅନସୂୟାଙ୍କ ମୃତଦେହ ପଡିରହିଥିଲା। ମୃତଦେହ ବ୍ୟବଚ୍ଛେଦ ହେବା ପରେ ହସ୍ତାନ୍ତର କରାଯିବ ବୋଲି ଡାକ୍ତର ଓ ପୋଲିସ କହୁଥିବା ପରିବାର ବର୍ଗ କହିଛନ୍ତି। ତେଣୁ କାର୍ତ୍ତିକଙ୍କ ମୃତଦେହ ସତ୍କାର କରାଯାଇ ନ ଥିଲା। ଦମ୍ପତିଙ୍କ ଏକାସାଥିରେ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଗ୍ରାମବାସୀ କହିଛନ୍ତି।