ସ୍କୁଲ ଫାଟକରେ ତାଲା ପକାଇଲେ ଠିକାଦାର, ବାହାରେ ପଢ଼ିଲେ ପିଲା

ବାଲିଗୁଡ଼ା,୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ପକାରୀରେ ୫-ଟି ଯୋଜନାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କାମ କରି ଦୀର୍ଘ ଦିନ ପରେ ବି ଠିକାଦାରଙ୍କୁ ବିଲ୍‌ ମିଳିପାରିନାହିଁ। ଏ ନେଇ ଠିକାଦାର ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଶେଷରେ ବାଧ୍ୟ ହୋଇ ଠିକାଦାର ସ୍କୁଲ ଫାଟକରେ ତାଲା ପକାଇ ଦେଇଛନ୍ତି।

ସୂଚନାନୁଯାୟୀ, ଉକ୍ତ ବିଦ୍ୟାଳୟକୁ ଦୁଇ ଜଣ ଠିକାଦାର ମିଶି ରୂପାନ୍ତରଣ କାର୍ଯ୍ୟ କରିଥିଲେ। କାମ ସରିବାର ଅନେକ ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ ବିଲ୍‌ ଅଦ୍ୟାବଧି ସୁଦ୍ଧା ମିଳିନାହିଁ। ଏନେଇ ସେମାନେ କୋଟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ତେଣୁ ଗୁରୁବାର ଠିକାଦାର ଦୁହେଁ ମିଶି ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ବାଧ୍ୟ ହୋଇ ପିଲାଙ୍କୁ ବାହାରେ ବସାଇ ପାଠ ପଢାଇଥିଲେ ଶିକ୍ଷକ। ଟଙ୍କା ନ ମିଳିବା ପର୍ଯ୍ୟନ୍ତ ତାଲା ଖୋଲିବେ ନାହିଁ ବୋଲି ଉଭୟ ଠିକାଦାର ଜିଦ୍‌ ଧରିବା ସହ ଏନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି।