ନିର୍ମାଣ ହେଉନି ଅଙ୍ଗନଓ୍ବାଡି ଗୃହ

ରଘୁନାଥପୁର,୧୦।୮(ଡି.ଏନ୍‌.ଏ.): ଦୀର୍ଘ ବର୍ଷ ହେବ ରଘୁନାଥପୁର ବ୍ଲକ ଜଗନ୍ନାଥପୁର ବାଗସାହି ମିନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ନ ହେଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ବାଗସାହି ମିନି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ ଗ୍ରାମ୍ୟ ଗୋଷ୍ଠୀକେନ୍ଦ୍ରରେ ଚାଲିଛି। ମାତ୍ର ଏଠାରେ ଆଲୋକ, ପାନୀୟଜଳ ଓ ପାଇଖାନାର ସୁବିଧା ନ ଥିବାରୁ କୋମଳମତି ଶିଶୁମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ୬ ବର୍ଷ ତଳୁ ବାଗସାହି ମିନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ ପାଇଁ ୭ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ମାତ୍ର ଠିକାଦାରିକୁ ନେଇ ଚାଲିଥିବା ଗୋଷ୍ଠୀ ବିବାଦ ଓ ବ୍ଲକ ପ୍ରଶାସନ ତତ୍ପରତାର ଅଭାବ ଯୋଗୁ ଏପର୍ଯ୍ୟନ୍ତ ଏହି କାର୍ଯ୍ୟ ଆରମ୍ଭ ହୋଇପାରିନି।
ବର୍ଷା ପରେ ଗୋଷ୍ଠୀକେନ୍ଦ୍ରରେ ଚାଲିଥିତ୍ବା ଅଙ୍ଗନଓ୍ବାଡିର ଚତୁଃପାର୍ଶ୍ୱରେ ବର୍ଷା ପାଣି ଜମି ରହୁଛି। ଏନେଇ ଡେଙ୍ଗୁ, ମ୍ୟାଲେରିଆ ଓ ବିଭିନ୍ନ ପ୍ରକାର ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏଥିଯୋଗୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ କେନ୍ଦ୍ରକୁ ଛାଡିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ବୋଲି ଅଙ୍ଗନଓ୍ବାଡି କର୍ମୀ ସବିତା ଧର କହିଛନ୍ତି।
ଏ ସମ୍ପର୍କରେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ପଞ୍ଚାୟତର ଜନପ୍ରତିନିଧି, ବିଧାୟକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିବେକାନନ୍ଦ ସୁ, ମଧୁସ୍ମିତା ସାହୁ ଓ ବିମଳି ଗାୟା ପ୍ରମୁଖ କହିଛନ୍ତି। ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ଅନୁରୋଧ କରାଯାଇଛି। ଏ ସମ୍ପର୍କରେ ନିର୍ମାଣ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଅମିୟ ଚାନ୍ଦ ମଲ୍ଲିକ କୁହନ୍ତି, ଗଁା ଲୋକଙ୍କ ବିବାଦ ଯୋଗୁ ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଛି।