ଆଠମଲ୍ଲିକ ଭାଜପାରେ ବଢ଼ୁଛି ଦ୍ୱନ୍ଦ୍ୱ

ବଇଣ୍ଡା, ୧ା୪ (ପରିକ୍ଷିତ ସାହୁ): ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀକୁ ବିଜେଡି ଦୀର୍ଘବର୍ଷ ହେଲା ତାହାର ଗଡ଼ କରିଆସିଛି। ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ସମସ୍ତ ଜିଲା ପରିଷଦ ଆସନ କବ୍‌ଜା କରି ଭାଜପାର ସ୍ବପ୍ନକୁ ଧୂଳିସାତ କରିଦେଇଛି। ହେଲେ ଗତ ନିର୍ବାଚନଗୁଡ଼ିକ ଅପେକ୍ଷା ୨୦୨୪ ନିର୍ବାଚନକୁ ଭାଜପା ଭିନ୍ନ ଦୃଷ୍ଟିରେ ଦେଖୁଛି। କାରଣ ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ କିଛି ବର୍ଷ ହେଲା ଭାଜପା ନିଜର ସଙ୍ଗଠନକୁ ପୂର୍ବାପେକ୍ଷା ଶକ୍ତ କରିବାରେ ଲାଗିପଡ଼ିଥିବା ଦେଖାଯାଇଛି। ଏହାଛଡ଼ା ଏଥର ସମ୍ବଲପୁର ଲୋକ ସଭା ଆସନରୁ ଭାଜପାର ହେଭିଓ୍ବେଟ୍‌ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବାରୁ ଆଠମଲ୍ଲିକ ଭାଜପାକୁ ଯେପରି ବଳ ମିଳିଯାଇଛି। ତେଣୁ କର୍ମୀ ମହଲରେ ଉତ୍ସାହ ଖେଳିଯାଇଥିବା ବେଳେ ଏଠାରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିଯାଇଛି। ତେବେ ଟିକେଟ୍‌ ଲବିରେ ଥିବା ପ୍ରମୁଖ ୪ ଆଶାୟୀଙ୍କ ମଧ୍ୟରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।
୨୦୦୦ ମସିହାରୁ ଆଠମଲ୍ଲିକ ବିଧାନସଭା ଆସନ ବିଜେଡି ଅକ୍ତିଆରରେ ରହିଆସିଛି। ତେବେ ବିଜେଡି-ଭାଜପା ମେଣ୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରଠାରୁ ହୋଇଥିବା ୩ଟି ନିର୍ବାଚନ ୨୦୦୯, ୨୦୧୪ ଏବଂ ୨୦୧୯ରେ ଏହି ଆସନକୁ ବିଜେଡି ହାତରୁ ଛଡ଼ାଇ ଆଣିବାକୁ ଭାଜପା ଉଦ୍ୟମ କରିଥିଲେ ମଧ୍ୟ ଏଯାଏ ସଫଳତା ପାଇପାରି ନାହିଁ। ଗତ ୩ଟି ନିର୍ବାଚନରେ ଆଠମଲ୍ଲିକରୁ ଭାଜପା ପ୍ରାର୍ଥୀ ଭାବେ ଭାଗୀରଥି ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରିଆସିଛନ୍ତି। ଏପରି କି ୨୦୨୪ ନିର୍ବାଚନରେ ମଧ୍ୟ ସେ ଆଠମଲ୍ଲିକରୁ ଦଳୀୟ ଟିକେଟ୍‌ ପାଇଁ ଜୋର୍‌ଦାର ଲବି ଚଳାଇଛନ୍ତି। ସେହିପରି ୨୦୧୯ ନିର୍ବାଚନରେ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିବା ପୂର୍ବତନ ବିଧାୟକ ସଞ୍ଜୀବ ସାହୁ ପରବର୍ତ୍ତୀ ସମୟରେ ଭାଜପାରେ ଯୋଗଦେବା ସହ ଦୀର୍ଘଦିନ ଧରି ଏଠାରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବାରେ ଲାଗିପଡ଼ିଛନ୍ତି। ବିଭିନ୍ନ ପଞ୍ଚାୟତରେ କର୍ମୀ ସମ୍ମିଳନୀ କରି ପତିଆରା ଜାହିରି କରୁଥିବା ବେଳେ ଟିକେଟ ଦୌଡ଼ରେ ସେ ଆଗରେ ଥିବା ବିଶେଷସୂତ୍ରରୁ ଜଣାପଡିଛି। ସେହିପରି ନିକଟ ଅତୀତରେ ଭାଜପାରେ ସାମିଲ ହୋଇଥିବା ସାମାଜିକ କର୍ମୀ ଅର୍ଜୁନ ସାହୁ ମଧ୍ୟ ଟିକେଟ ପାଇଁ ଆଶା ରଖିଛନ୍ତି। ଅନ୍ୟପଟେ ଭାଜପାର ଯୁବ ନେତା ସଂଗ୍ରାମ ମହାପାତ୍ର ଆଠମଲ୍ଲିକ ଉପଖଣ୍ଡରେ ଡେରା ପକାଇ ଟିକେଟ ଆଶାରେ ଦଳୀୟ ସଙ୍ଗଠନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି ୪ ଆଶାୟୀଙ୍କ ମଧ୍ୟରୁ ଦଳ କାହାକୁ ଟିକେଟ୍‌ ଦେବ ତାହାକୁ ନେଇ ନିର୍ବାଚନମଣ୍ଡଳୀରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି। ସମ୍ବଲପୁର ଲୋକ ସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଖ ଲୋକ ତଥା ତାଙ୍କ ପସନ୍ଦର ଆଶାୟୀଙ୍କ ମଧ୍ୟରୁ ଦଳ ଜଣକୁ ପ୍ରାର୍ଥୀ କରିପାରେ ବୋଲି ଆଠମଲ୍ଲିକରେ ଚର୍ଚ୍ଚା ହେଉଛି।