ଥୁଆମୂଳ ରାମପୁର,୭ା୫(ଦୁର୍ଗା କୀର୍ତ୍ତି): ଆଶାଥିଲା କମ୍ପାନୀ ଆସିବ, ଅଞ୍ଚଳର ବିକାଶ ହେବ। ଅଞ୍ଚଳର ବିକାଶ ସହ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ହେବ। ନିଯୁକ୍ତି ବଢ଼ିବ ଦାଦନ ହଟିବ। ଏଭଳି କିଛି ଆଶା ଓ ସ୍ବପ୍ନ ନେଇ କମ୍ପାନୀ ହାତରେ ନିଜର ଭିଟାମାଟି ଟେକି ଦେଇଥିଲେ ଲୋକେ। କମ୍ପାନୀ ତ’ ଆସିଲା ହେଲେ ଲୋକଙ୍କୁ ଦେଇଥିବା ପ୍ରତଶ୍ରୁତିକୁ ଭୁଲିଯାଇ ଏବେ ସେହି ହିତାଧିକାରୀଙ୍କୁ ନାଲି ଆଖି ଦେଖାଉଛି ବହୁ ରାଷ୍ଟ୍ରୀୟ କମ୍ପାନୀ ଉତ୍କଳ ଆଲୁମିନା। କଥା କହିଲେ ପୋଲିସ ଲଗାଇ ଲୋକଙ୍କୁ ମାଡ଼ ମାରୁଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ବାରମ୍ବାର ହେବାପରେ କାହିଁକି ଚୁପ୍ ପ୍ରଶାସନ।
କଳାହାଣ୍ଡି ଓ ରାୟଗଡ଼ା ସୀମାନ୍ତରେ ଥିବା ବଫଲାମାଳି ପାହାଡ଼ର ଖଣି ଖନନ ପାଇଁ ୨୫.୦୯.୧୯୯୫ର ରାୟଗଡ଼ା ଜିଲାର ଟିକିରିଠାରେ କମ୍ପାନୀ ପ୍ରତିଷ୍ଠା ହୋଇଥଲା। କମ୍ପାନୀ ପ୍ରତିଷ୍ଠା ସମୟର ବଫଲାମାଳି ପାହାଡ଼ ଅଧୀନରେ ଥିବା ମାଳିଗାଁ, ଗୋପୀନାଥପୁର ଓ ଅଡ୍ରି ଆଦି ପଞ୍ଚାୟତର ପ୍ରାୟ ୨୦ରୁ ଊଦ୍ଧର୍ବ ଗାଁ ପ୍ରଭାବିତ ହୋଇଥଲା। ସେହି ସମୟରେ ଅଞ୍ଚଳର ବିକାଶ ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ସାମାଜିକ ଓ ଆର୍ଥିକ ସ୍ଥିତିର ବିକାଶ କରିବାର ପ୍ରତିଶ୍ରୁତି ଦେଇଥିଲା କମ୍ପାନୀ, ହେଲେ କମ୍ପାନୀ ପ୍ରତିଷ୍ଠାର ଆଜକୁ ୩୦ରୁ ଊର୍ଦ୍ଧ୍ୱ ବର୍ଷ ବିତି ଯାଇଥିବା ବେଳେ, ବର୍ତ୍ତମାନ ଅଞ୍ଚଳର ବିକାଶର କଥା ପଚାରିଲେ ନାଲି ଆଖି ଦେଖାଉଛି କମ୍ପାନୀ। ଏହା ସହିତ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ମଧ୍ୟ କମ୍ପାନୀର କର୍ମଚାରୀ ବାଧା ସୃଷ୍ଟି କରୁଥିବା ନେଇ ବିଗତ ଦିନରେ ସ୍ଥାନୀୟ ଲୋକେ ଜିଲା ପ୍ରଶାସନର ଦ୍ବାରସ୍ଥ ହେବା ସହିତ ସ୍ଥାନୀୟ ବିଧାୟକ ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କମ୍ପାନୀ ଓ ସରକାରଙ୍କ ଉପରେ ବର୍ଷିଥିଲେ। ଏହାର କିଛିଦିନ ବ୍ୟବଧାନ ପାରେ ଉକ୍ତ ଅଞ୍ଚଳର ୪୦ରୁ ଊର୍ଦ୍ଧ୍ୱ ବେକାର ଯୁବକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ବାସ ଭବନ ଯାଇ ମଧ୍ୟ ତାଙ୍କୁ ସାକ୍ଷାତ କରିବା ସହ ବିସ୍ଥାପିତଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ସମ୍ପର୍କରେ ଅବଗତ କରାଇବା ସହ ଉକ୍ତ କମ୍ପାନୀରେ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତିର ଯୋଗାଇ ଦିଆଯାଉ ବୋଲି ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।ସେ ସମୟରେ ପିସିସି ସଭାପତିଙ୍କୁ କମ୍ପାନୀ ପକ୍ଷରୁ ୭ ଦିନ ସମୟ ମଗାଯାଇଥିଲା ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ବ୍ୟବସ୍ଥା କରାଗଲାନାହିଁ। ଏପଟେ କମ୍ପାନୀର ବକ୍ସାଇଟ ଗୁଣ୍ଡରେ ଲୋକେ ଅତିଷ୍ଠ ହୋଇପଡ଼ିଥିବା ବେଳେ କମ୍ପାନୀ ଆସିବା ଦିନଠାରୁ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଥିବା ଜଣାଯାଏ।


