ହୋଲିର ରଙ୍ଗ ବି ଆଣିଥାଏ ଖୁସି

ହୋଲିରେ ଖେଳାଯାଉଥିବା ଫଗୁ, ଅବିରକୁ ବି ବାସ୍ତୁଶାସ୍ତ୍ରରେ ସୁଖ, ସୌଭାଗ୍ୟର ପ୍ରତୀକ ଭାବେ ବିବେଚନା କରାଯାଇଥାଏ। ଯେହେତୁ ନାଲି ରଙ୍ଗ ହେଉଛି ଊର୍ଜା ଓ ଶକ୍ତିର ପ୍ରତୀକ, ତେଣୁ ହୋଲି ଦିନ ଏହି ରଙ୍ଗର ଫଗୁ କିମ୍ବା ଅବିରରେ ହୋଲି ଖେଳିଲେ ଶରୀରରେ ଫୁର୍ତ୍ତି ଆସିଥାଏ ବୋଲି ବିଶ୍ୱାସ କରାଯାଏ। ସବୁଜ ରଙ୍ଗକୁ ସମୃଦ୍ଧି, ପ୍ରେମ, ପ୍ରଗତି ତଥା ସକାରାତ୍ମକ ଊର୍ଜାର ପ୍ରତୀକ ବୋଲି ବିବେଚନା କରାଯାଏ। ତେଣୁ ଏହି ରଙ୍ଗରେ ହୋଲି ଖେଳିଲେ ସ୍ବାସ୍ଥ୍ୟ ଭଲ ରହିବା ସହ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି। ହଳଦିଆ ରଙ୍ଗର ଫଗୁ କିମ୍ବା ଅବିରରେ ହୋଲି ଖେଳିଲେ ମୁହଁର ଶୋଭା ବଢିବା ସହ ଜୀବନରେ ଆନନ୍ଦ ଭରି ଯାଇଥାଏ ବୋଲି ଅନେକେ ବିଶ୍ୱାସ କରିଥାନ୍ତି। ସେହିପରି ଗୋଲାପୀ ରଙ୍ଗ ଜୀବନରେ ପ୍ରେମ ଭରି ଦେଇଥାଏ। ତେଣୁ ଏହି ରଙ୍ଗରେ ହୋଲି ଖେଳିଲେ ସମ୍ପର୍କରେ ଆପଣାପଣ ବଢ଼ିବା ସହ ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ମନୋବଳ ବଢ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। କୁହାଯାଏ, ନୀଳ ରଙ୍ଗରେ ହୋଲି ଖେଳିଲେ ମନରେ ସୁରକ୍ଷା ଭାବନା ଜାଗ୍ରତ ହୋଇଥାଏ। ତେବେ କେବେ ବି କଳାରଙ୍ଗର ଫଗୁ କିମ୍ବା ଅବିରରେ ହୋଲି ଖେଳିବେ ନାହିଁ। ବାସ୍ତୁଶାସ୍ତ୍ରରେ ଏହି ରଙ୍ଗକୁ ସମସ୍ୟା ବୃଦ୍ଧି ତଥା ଅବସାଦର ଏକ ଲକ୍ଷଣ ଭାବେ ବିବେଚନା କରାଯାଇଥାଏ।