ପିଲାଙ୍କୁ ଗୋଇଠା ସହ ବେଲ୍ଟରେ ପିଟିଲେ

ପାଟଣା,୧୪ା୪(ସ୍ବ.ପ୍ର.): ୭ଜଣ ପିଲା ଗଁା ଗାଡ଼ିଆରେ ଗାଧୋଇବାରୁ ୨ରୁ ୩ ଜଣ ଉନ୍ମତ୍ତ ଯୁବକ ମାନବିକତା ଭୁଲିଯାଇ ଗୋଇଠା ମାରିବା ସହ ବେଲ୍ଟରେ ନିର୍ମମ ଭାବେ ପିଟିଛନ୍ତି। ଘଟଣାଟି କେବେର ସ୍ପଷ୍ଟ ହୋଇ ନ ଥିବା ବେଳେ ଏବେ ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚାକୁ ଆସିଛି। ଘଟଣାଟି କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଉପାନ୍ତ ଅଞ୍ଚଳ କଣ୍ଟିଆପଡ଼ା ଗ୍ରାମର ବୋଲି ଜଣାପଡ଼ିଛି।
ଏବେ ଅସହ୍ୟ ଗରମ ସହ ତାପମାତ୍ରା ବୃଦ୍ଧି ଯୋଗୁ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଗରମରୁ ରକ୍ଷା ପାଇବା ପାଇଁ କଣ୍ଟିଆପଡ଼ା ଗ୍ରାମର ଛୋଟ ଛୋଟ ୭ରୁ ୮ ପିଲା ଏକ ଗାଡ଼ିଆରେ ଗାଧୋଉଥିଲେ। ଗାଡ଼ିଆରେ ଥିବା ଗୋଳିଆ ପାଣି ଓ କାଦୁଅରେ ଗାଧୋଉଥିବାରୁ ଗାଁର ୨ ଯୁବକ ପିଲାମାନଙ୍କୁ ତାଗିଦ୍‌ କରିବା ସହ ତଣ୍ଡ ଦେବାକୁ ପିଲାଙ୍କୁ ଅମାନୁଷିକ ଭାବେ ଗୋଡ଼ ତଳେ ପକାଇ ବେଲ୍ଟରେ ନିର୍ମମ ଭାବେ ପିଟିଥିଲେ। ଅନ୍ୟ ଜଣେ ଯୁବକ ପିଲାଙ୍କୁ ଗୋଇଠା ମାରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। କାହିଁକି ପାଣି ଗୋଳିଆ କଲ ବୋଲି କହୁଥିବା ଜଣାଯାଇଛି। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଗ୍ରାମବାସୀ ନାପସନ୍ଦ କରିବା ସହ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।