ଭୁବନେଶ୍ୱର,୨୩।୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅକ୍ଷୟ ତୃତୀୟା କୃଷକ ଦିବସ ଅବସରରେ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଅଖିମୁଠି ଅନୁକୂଳ କରି ରାଜ୍ୟର କୃଷକ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ପରେ ସେ ଲୋକସେବା ଭବନରେ ମିଲେଟ ଶକ୍ତି କାଫେ ଲୋକାର୍ପିତ କରିଥିଲେ। ପୁଷ୍ଟିହୀନତା ନିୟନ୍ତ୍ରଣରେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ ଖାଦ୍ୟ ଶସ୍ୟର ଗୁରୁତ୍ୱ ଅନୁଭବ କରି ରାଜ୍ୟ ସରକାର ମିଲେଟ ମିଶନ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୪୨ଟି ମିଲେଟ ଆଉଟଲେଟ ଖୋଲାଯାଇ ସାରିଲାଣି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘କୃଷି ସମୀକ୍ଷା କେନ୍ଦ୍ର’ର ଉଦ୍ଘାଟନ ମଧ୍ୟ କରିଥିଲେ। ରାଜ୍ୟ କୃଷି ଭବନରେ ଏହି କେନ୍ଦ୍ର ଏକ ‘ସେଣ୍ଟ୍ରାଲ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ୍ ’ ଭାବେ କାର୍ଯ୍ୟ କରିବ। କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତିର ପ୍ରୟୋଗରେ ଏଠାରେ ଏହା କ୍ଷେତ୍ର ସ୍ତରରୁ ବିଭିନ୍ନ ସୂଚନା ବାସ୍ତବ ସମୟରେ ହାସଲ କରି ନିଷ୍ପତ୍ତି ନେବାରେ ସହାୟତା କରିପାରିବ। ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଏବଂ ଚାଷୀଙ୍କୁ ସହାୟତା କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି। କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କୁ ଏହି କେନ୍ଦ୍ରର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ଏହା ସହିତ ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଶିଶୁ ସନ୍ତାନମାନଙ୍କ ପାଇଁ ଏକ କ୍ରେଚ୍ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବର୍ତ୍ତମାନ ୨୦ ଜଣ ଶିଶୁ ରହିବାର ବ୍ୟବସ୍ଥା କରାଯାଇଛି।
ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଏବଂ ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।


