ଗୋପାଳଙ୍କ ପରିବାରକୁ ସୁରକ୍ଷା ଦେବା ମାମଲା ଖାରଜ

କଟକ ଅଫିସ,୨୮ା୨: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ସୋମବାର ହୋଇଥିଲା। ଗୋପାଳଙ୍କ ପରିବାର ସଦସ୍ୟ ସୁରକ୍ଷା ଆବଶ୍ୟକ କଲେ ସିଧାସଳଖ ଆବେଦନ କରିପାରିବେ। ତତ୍‌ପରେ ସୁରକ୍ଷା ମିଳିବା ଆବଶ୍ୟକ କି ନାହିଁ ବିଚାର କରାଯିବ ବୋଲି ଅଦାଲତ କହିବା ସହ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି।
ଆବେଦନକାରୀ ଆଇନଜୀବୀ ସୁମନ୍ତ କୁମାର ସ୍ବାଇଁଙ୍କ ପକ୍ଷରୁ ରୁଜୁ ଏହି ମାମଲାର ବିବରଣୀ ଅନୁଯାୟୀ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଚୌଦ୍ୱାର ଜେଲରେ ଥିବା ଗୋପାଳ ଦାସଙ୍କୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ନଜରରେ ରଖାଯାଇଛି। ଜେଲ ପକ୍ଷରୁ ତାଙ୍କର ଗତିବିଧି, କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଛି। ଏପରିସ୍ଥଳେ ତାଙ୍କ ପରିବାରକୁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବାର ଆବଶ୍ୟକତା ଥିବା ଦର୍ଶାଇ ଗତ ୨୦ ତାରିଖରେ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଏଥିରେ ପୋଲିସ ଡିଜି, ଚୌଦ୍ୱାର ଜେଲ ଅଧୀକ୍ଷକ, ଜେଲ ବିଭାଗ ଆଇଜି ଏବଂ ଆଇଟି ସେଲ୍‌ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି।