ଦୋକାନ ଭିତରକୁ ପଶିଗଲା କାର୍‌, ୩ ଛାତ୍ରୀ ଆହତ

ପୁରୁଷୋତ୍ତମପୁର,୧୯ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାବନ୍ଧ ଛକଠାରେ କାର୍‌ ନଂ ଓଡି ୦୭ଏନ ୨୯୩୬ ଦ୍ରୁତ ଗତିରେ ଆସି ରାସ୍ତା ପାଶର୍‌ବରେ ଥିବା ଏକ ପାନ ଦୋକାନ ମଧ୍ୟକୁ ପଶିଯାଇଥିଲା। ଏହି ସମୟରେ ବସ୍‌ରୁ ଓହ୍ଲାଇ ଦୋକାନ ସମ୍ମୁଖରେ ନରେନ୍ଦ୍ରପୁର କ୍ଷେତ୍ରମୋହନ ବିଜ୍ଞାନ କଲେଜର ଛାତ୍ରୀ ସୁମିତ୍ରା ସାମଲ (୧୬) ଇତିଶ୍ରୀ ପ୍ରଧାନ (୧୬) ଶୁଭଶ୍ରୀ ନାବାକ (୧୬) ଠିଆ ହୋଇଥିବାବେଳେ ତାଙ୍କୁ ମଧ୍ୟ ଧକ୍କା ଦେଇଥିଲା। ଫଳରେ ସମସ୍ତ ଛାତ୍ରୀ ଆହତ ହୋଇଛନ୍ତି। ଉପସ୍ଥିତ ଲୋକେ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳକୁ ଯାଇ ଗାଡ଼ି ଜବତ କରିବା ସହ ତଦନ୍ତ ଚଳାଇଛନ୍ତି।