Categories: ଭଦ୍ରକ

କେନାଲବନ୍ଧ ରାସ୍ତା ଶୋଚନୀୟ

ଭଦ୍ରକ ଅଫିସ,୧୮।୬ ଭଦ୍ରକ ଜିଲା ବନ୍ତ ବ୍ଲକର ଆଡ଼ିଆଠାରୁ ଓଡ଼ଙ୍ଗ ପଞ୍ଚାୟତର ଗୋହିରା ପର୍ଯ୍ୟନ୍ତ ଯାଇଥିବା ଗଣିଜାଙ୍ଗ ମାଇନର କେନାଲବନ୍ଧ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହି ୩ କି.ମି. ରାସ୍ତାରେ ବର୍ଷାଦିନେ ଗାଡ଼ି ମୋଟର ଯିବା ତ ଦୂରର କଥା ଚାଲି ଚାଲି ଯିବା କଷ୍ଟକର। କେନାଲ ସଂସ୍କାର ଯୋଜନାରେ ଜଳସେଚନ ବିଭାଗ ପକ୍ଷରୁ କେନାଲର ଗର୍ଭ କଙ୍କ୍ରିଟ ହୋଇଗଲା। କିନ୍ତୁ କେନାଲ ଗର୍ଭରୁ ଖୋଳାଯାଇ ବନ୍ଧ ଉପରେ ପକା ଯାଇଥିବା ମାଟି ଏବେ ବର୍ଷାରେ ଧୋଇ ଆସି କାଦୁଅ ହେବାରୁ ରାସ୍ତାରେ ଯାତାୟାତ ଏକ ପ୍ରକାର ବନ୍ଦ ହୋଇଯାଇଛି। କେନାଲ ଧାରରେ ହୋଇଥିବା ଅଣଓସାରିଆ କଙ୍କ୍ରିଟ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଲୋକେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।
ଧରି ରାସ୍ତାରେ ମୋରମ ମୁଠାଏ ବି ପଡ଼ି ନ ଥିବାରୁ ଖରାଦିନେ ଅଦିନିଆ ବର୍ଷାରେ ମଧ୍ୟ ରାସ୍ତା କାଦୁଅ ହୋଇଯାଏ। ଜିଲା ମୁଖ୍ୟାଳୟ ଭଦ୍ରକକୁ ଯିବା ପାଇଁ କମ୍‌ ରାସ୍ତା ହୋଇଥିବାରୁ ପଦି, ଆଡ଼ିଆ, ଗିରିଧାରୀନଗର, ଅଡାଳପଙ୍କ, ମୌଦା, ନୂଆପୋଖରୀ, ଓଲଡାଙ୍ଗ, ଧାନଘର ଆଦି ଗ୍ରାମର ଲୋକେ ନିର୍ଭର କରନ୍ତି। ସେହିପରି ବ୍ଲକର ମୁଖ୍ୟ ବ୍ୟବସାୟ ପେଣ୍ଠସ୍ଥଳୀ ଆଗରପଡ଼ାକୁ ଆସିବା ପାଇଁ ଗୋହିରା, ସରମରା, ଦେବତାଗଢ଼ିଆ, ଟିଲୋ ଆଦି ଗ୍ରାମର ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ। ବର୍ଷାଦିନେ ଯାତାୟାତ ବନ୍ଦ ରହୁଥିବାରୁ କାଦବରାଙ୍ଗ ଦେଇ ଅଧିକ ରାସ୍ତା ବୁଲିବାକୁ ପଡ଼ିଥାଏ। ପ୍ରାୟ ୧୦ ଗ୍ରାମର ୧୦ ହଜାର ଲୋକ ନିର୍ଭର କରୁଥିବା ଏହି ରାସ୍ତା ମରାମତି କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।