Categories: ବାଣିଜ୍ୟ

ସିଏଜି ମାଗିଲେ ବ୍ୟାଙ୍କ ଅଡିଟ ରିପୋର୍ଟ

ନୂଆଦିଲ୍ଲୀ,୪।୧: ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପୁଞ୍ଜି ଯୋଗାଣ ଧାରା ଜାରି ରଖିଛନ୍ତି। ବ୍ୟାଙ୍କଗୁଡ଼ିକର ପରଫରମାନ୍ସ ଅଡିଟ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଦେବାକୁ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଅର୍ଥମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ୨୦୧୬-୧୭ଠାରୁ ବ୍ୟାଙ୍କଗୁଡିକରେ ହୋଇଥିବା ପୁଞ୍ଜି ଯୋଗାଣ ଧାରା ଉପରେ ସିଏଜି ବର୍ତ୍ତମାନ ପରଫରମାନ୍ସ ଅଡିଟ କରୁଛନ୍ତି। ବ୍ୟାଙ୍କଗୁଡିକୁ ଯୋଗାଣ ହୋଇଥିବା ଅର୍ଥ ସମେତ ଅନ୍ୟ ତଥ୍ୟ ଦେବାକୁ ଆର୍ଥତ୍କ ସେବା ବିଭାଗ ଏବଂ ଅର୍ଥ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି। ୨୦୧୭-୧୮ରେ ସରକାର ବ୍ୟାଙ୍କଗୁଡିକୁ ୯୦ ହଜାର କୋଟି ଟଙ୍କା ଯୋଗାଇ ଦେଇଥିଲେ। ଏହାକୁ ପରବର୍ଷ ୧.୦୬ ଲକ୍ଷ କୋଟି ଟଙ୍କାକୁ ବଢାଯାଇଥିଲା। ଗତ ଆର୍ଥତ୍କ ବର୍ଷରେ ବଣ୍ଡ୍‌ ଦ୍ୱାରା ବ୍ୟାଙ୍କଗୁଡିକୁ ୭୦ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଇ ଦିଆଯାଇଥିଲା।
ପୁଞ୍ଜି ପ୍ରଦାନ ପରେ ବ୍ୟାଙ୍କଗୁଡିକର ସ୍ଥିତି କିଭଳି ରହିଛି ସେ ଉପରେ ସିଏଜି ତର୍ଜମା କରିପାରନ୍ତି। ଶେଷ ଥର ଲାଗି ସିଏଜି ୨୦୧୭ରେ ବ୍ୟାଙ୍କଗୁଡିକର ପରଫରମାନ୍ସ ରିପୋର୍ଟ ଜାରି କରିଥିଲେ। ବିଭିନ୍ନ ବ୍ୟାଙ୍କକୁ ପୁଞ୍ଜି ଯୋଗାଣ ଦିଗରେ ରହିଥିବା ସମସ୍ୟା ଉପରେ ଏହି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଥିଲା। ୨୦୧୯ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବଜାରରୁ ୧ ଲକ୍ଷ କୋଟି ଟଙ୍କା ଉଠାଣ କରିଥିବାରୁ ଏହାକୁ ନେଇ ସିଏଜି ଆଶଙ୍କା ପ୍ରକଟ କରିଛନ୍ତି। କେତେକ ବ୍ୟାଙ୍କ ଆବଶ୍ୟକତାଠାରୁ ଅଧିକ ପୁଞ୍ଜି ଲାଭ କରିଥିବା ବେଳେ ଆଉ କିଛି ପୁଞ୍ଜି ପର୍ଯ୍ୟାପ୍ତତା ନିୟମ ପାଳନ କରିଥିବାରୁ ଆବଶ୍ୟକ ମୁତାବକ ପୁଞ୍ଜି ପାଇ ନାହାନ୍ତି।

Share