କଣ୍ଟେନର ପଛରେ ଧକ୍କା ଦେଲା ବସ୍‌, ୫ ଆହତ

କେନ୍ଦୁଝର,୮ା୧(ସ୍ବ.ପ୍ର.): ୪୯ ନଂ. ଜାତୀୟ ରାଜପଥ ଅନ୍ତର୍ଗତ ଜୁଡ଼ିଆ ଘାଟିରେ ଶନିବାର ବିଳମ୍ବିତ ରାତିରେ ଏକ କଣ୍ଟେନର ବେଆଇନ ପାର୍କିଂ କରିଥିବାରୁ ପୁଣି ଏକ ଦୁର୍ଘଟଣା ଘଟିଛି। ଅନୁଗୋଳରୁ ଟାଟା ଯାଉଥିବା ସାଇବାବା ନାମକ ଯାତ୍ରୀବାହୀ ବସ୍‌ ରାସ୍ତା ପାର୍ଶ୍ୱରେ ବ୍ରେକ୍‌ ଡାଉନ୍‌ ହୋଇ ଛିଡ଼ା ହୋଇଥିବା ଧକ୍କା ଦେବା ଫଳରେ ଡ୍ରାଇଭର ସମେତ ୫ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ୨ଜଣ ଚିକତ୍ସା ହେବା ପରେ ଡିସଚାର୍ଜ ହୋଇ ଘରକୁ ଯାଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତ ବିଜୟ କୁମାର ପାତ୍ର(୪୩),ଗୋମା କଣ୍ଡାଲକେଲ(୨୩),ମନୁ ନାୟକ(୩୫) କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଡ୍ରାଇଭର ବିଜୟ କୁମାର ପାତ୍ରଙ୍କ କହିବା ଅନୁଯାୟୀ, ରାଜପଥର ଡାହାଣ ପାର୍ଶ୍ୱରେ ବ୍ରେକ୍‌ ଡାଉନ୍‌ ହୋଇ ଛିଡ଼ା ହୋଇଥିବା କଣ୍ଟେନର ଜାଣି ନ ପାରି ଧକ୍କା ହୋଇଥିଲା। କଣ୍ଟେନର ଛିଡ଼ା ହୋଇଥିବା ସ୍ଥାନରେ କୌଣସି ସତର୍କ ସୂଚନା ଦିଆଯାଇ ନ ଥିବାରୁ ଜଣାପଡ଼ି ନ ଥିଲା। ଜାତୀୟ ରାଜପଥ ପାର୍ଶ୍ୱରେ ବେଆଇନ ପାର୍କିଂ ଯୋଗୁ ଦୁର୍ଘଟଣା ବଢୁଛି। ସେପ୍ଟେମ୍ବରଠାରୁ ନଭେମ୍ବର ମଧ୍ୟରେ ୩ ମାସରେ କେନ୍ଦୁଝର ଜିଲାରେ ୧୬୧ଟି ଦୁର୍ଘଟଣା ଘଟି ୮୧ ଜଣ ମୃତ୍ୟୁବରଣ କରିଥିବାବେଳେ ୫୬ଜଣ ଗୁରୁତର ହୋଇଛନ୍ତି। ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା ଯାହାକି ରାଜ୍ୟରେ ସର୍ବାଧିକ ଅଟେ। ଏହି ୩ ମାସରେ ସଦର ପୋଲିସ ଅଞ୍ଚଳରେ ସର୍ବାଧିକ ଦୁର୍ଘଟଣା ଘଟିଛି। ଏହି ଥାନା ଅଞ୍ଚଳରେ ସେପ୍ଟେମ୍ବରଠାରୁ ନଭେମ୍ବର ମଧ୍ୟରେ ୩ ମାସରେ ୩୦ଟି ଦୁର୍ଘଟଣା ଘଟି ୧୭ ଜଣ ମୃତ୍ୟୁବରଣ କରିଛନ୍ତି। ଜାତୀୟ ରାଜପଥରେ ବେଆଇନ ପାର୍କିଂ କରୁଥିବା ଗାଡ଼ିମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବାକୁ ଦାବି ହୋଇଛି।