ଅଧାରେ ରହିଛି ପୋଲ କାମ, ଭରସା ଦେଶୀ ଡଙ୍ଗା

ବ୍ରହ୍ମପୁର ଅଫିସ,୪ା୧୨: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ହରିପୁର ପଞ୍ଚାୟତରୁ ଗୋପାଳପୁର ବେଳାଭୂମିକୁ ସଂଯୋଗ ପାଇଁ ଚାଲିଥିବା ପୋଲ କାମ ଦୁଇବର୍ଷ ହେଲାଣି ଶେଷ ହୋଇନାହିଁ। ୨୦୧୯ ଫେବୃୟାରୀରେ ୧୧ କୋଟି ୩୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସେତୁ କାମ ଆରମ୍ଭ ହୋଇଥିଲା, କିନ୍ତୁ ତାହା ଅଧାରେ ଅଟକିଛି। ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାରୁ ପାଖାପାଖି ୧୦ ଗ୍ରାମ ଲୋକ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଋତୁରେ ଯାତାୟାତ ବନ୍ଦ ହୋଇଯାଉଛି। ଫଳରେ ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଦେଶୀ ଡଙ୍ଗାରେ ନଦୀ ପାର ହେଉଛନ୍ତି। ଏହି ନଦୀ ସମୁଦ୍ର ସହିତ ସଂଯୋଗ ଥିବାରୁ ଏଥିରେ ସ୍ରୋତ ଅଧିକ ଥାଏ। ଫଳରେ ଅନେକ ସମୟରେ ଲୋକମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି। ଅଞ୍ଚଳବାସୀ ଶୀଘ୍ର ପୋଲ କାମ ସାରିବାକୁ ବାରମ୍ବାର ଦାବି କରିଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣି ନ ଥିବା କହିଛନ୍ତି। ୧୨୦ମିଟର ଲମ୍ବ, ୧୬ମିଟର ପ୍ରସ୍ଥ, ୧୨ ସ୍ପାମ୍‌ ବିଶିଷ୍ଟ ଏହି ଉଚ୍ଚ ପୋଲର ନିର୍ମାଣ ୮୦ଭାଗ ସରିଥିଲେ ମଧ୍ୟ ଏହାକୁ ସଂଯୋଗ କରିବା ପାଇଁ ଅନ୍ୟ ଏକ ରାସ୍ତା ଆବଶ୍ୟକତା ଥିବାରୁ ଅଟକି ରହିଛି କାମ। ଏହି ପୋଲ ନିର୍ମାଣ ହେଲେ ଗୋପାଳପୁର, ହରିପୁର ଓ ଛତ୍ରପୁରକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଯିବା ଆସିବା ହୋଇପାରିବ। ଠିକାଦାରଙ୍କ କହିବା କଥା ଆମକୁ ପୂର୍ତ୍ତବିଭାଗ ୨୦୨୦ ଅଗଷ୍ଟ ପୂର୍ବରୁ କାମ ସରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଆମେ ମଧ୍ୟ ତା’ ପୂର୍ବରୁ ସମସ୍ତ କାମ ସାରିଥିଲୁ, କିନ୍ତୁ ଆପ୍ରୋଚ ରୋଡ ପାଇଁ କାମ ଅଟକିଛି। ଏହି ବିଷୟରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ଏହି ପୋଲ ପାଇଁ ଯେତିକି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ତାହା ସରିଯାଇଛି। ଆଉ ଗୋଟିଏ ଏଷ୍ଟିମେଟ ରିପୋର୍ଟ ପଠାଯାଇଛି। ସରକାରଙ୍କ ନିକଟକୁ ଅନୁମୋଦନ ହୋଇ ଆସିବା ପରେ କାମ ଆରମ୍ଭ କରାଯିବ।