ଖେଳିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ

ପାରଳାଖେମୁଣ୍ଡି,୧୬।୫(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକରେ
ପୋଖରୀରେ ବୁଡ଼ି ଜଣେ ନାବାଳକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଗଜପତି ଜିଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ ବାହାଡ଼ାପଦା ଗ୍ରାମର ମିଖାଏଲ ଶବରଙ୍କ ପୁଅ ଆଲୋକ ଶବର।

ସୂଚନାନୁଯାୟୀ, ଶନିବାର ଅପରାହ୍ନରୁ ଆଲୋକ କେଉଁ ଆଡ଼େ ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ଗ୍ରାମର ପୋଖରୀ ହୁଡାରେ ଆଲୋକଙ୍କ ପୋଷାକ ପଡ଼ିଥିବା ଦେଖି ସ୍ଥାନୀୟ ଯୁବକମାନେ ପୋଖରୀରେ ପଶି ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ତେଣୁ ସେମାନେ ମୋହନା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ମୋହନା ଦମକଳ କେନ୍ଦ୍ର ଓଆଇସି ତାରାକାନ୍ତ ମହାପାତ୍ର ଏବଂ ତାଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୧ ଘଣ୍ଟାର ଅପରେଶନ ପରେ ଆଲୋକଙ୍କ ମୃତଦେହ ପାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଖବରପାଇ ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧିକାରୀ ନିରଞ୍ଜନ ପାଣୀଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l