ଋଷିକୂଲ୍ୟାରେ ଭାସୁଛି ପଥରରେ ବନ୍ଧା ହୋଇଥିବା ଯୁବତୀଙ୍କ ମୃତଦେହ

ଗଞ୍ଜାମ,୨୮ା୮(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ସ୍ଥିତ ଋଷିକୂଲ୍ୟା ନଦୀପାର୍ଶରେ ପଥରରେ ବନ୍ଧା ହୋଇ ଏକ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତ ଯୁବତୀ ଜଣକ ନାଇଟ୍‌ ପିନ୍ଧିଥିବା ବେଳେ ଏକ ଚାଦର ଘୋଡ଼େଇ ହୋଇଥିବାରୁ ମୁହଁ ସ୍ପଷ୍ଟ ଦେଖାଯାଉନି। ଉକ୍ତ ମୃତଦେହକୁ ଦେଖିବା ପାଇଁ ଶନିବାର ସକାଳୁ ଲୋକ ଙ୍କ ଭିଡ଼ ଜମିଥିଲା। ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ଛତ୍ରପୁର ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ଚମାଖଣ୍ଡି ଆଇଆଇସି, ଥାନା ଏସ୍‌ଆଇ ଅଜିତ କୁମାର ପରିଡ଼ା, ତ୍ରିନାଥ ପଟ୍ଟନାୟକ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କେହି ଦୁର୍ବୃତ୍ତ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ସ୍ଥାନୀୟ ପୋଲିସ ଅନୁମାନ କରିଛି। ମୃତଦେହରୁ ଚାଦର କାଢ଼ିବା ପରେ ଅଧିକ ତଥ୍ୟ ଜଣା ପଡ଼ିବ ବୋଲି ଆଇଆଇସି କହିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।