ଟିକରସାହିର ନିଖୋଜ ବ୍ୟକ୍ତିଙ୍କ ମୃତଦେହ ବ୍ରାହ୍ମଣୀପାଳ କୁଶେଇ ନଦୀରୁ ଉଦ୍ଧାର

କେନ୍ଦୁଝର, ୨୪।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ସଉତୁଣୀ ନାଳ ନିକଟସ୍ଥ କୁଶେଇ ନଦୀରୁ ସୋମବାର ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ପଞ୍ଚମ ଗ୍ରାମ ଟିକରସାହିର ବୀରୁ ଆଙ୍ଗରାଇ(୫୮) ବୋଲି ଜଣାପଡିଛି।
ସୂଚନାନୁଯାୟୀ, ବୀରୁ ଦୈତାରୀ ରେଲୱେ ସାଇଡିଂରେ ବାଗିନ ଲେବର ଭାବରେ କାମ କରୁଥିଲେ। ସବୁଦିନ ପରି ରବିବାର ସେ କାମସାରି ନିଜ ଗ୍ରାମକୁ ଫେରିବା ପାଇଁ କୁଶେଇ ନଦୀ ପାର୍‌ ହେଉଥିବା ବେଳେ ନଦୀର ସ୍ରୋତରେ ଭାସି ଯାଇଥିଲେ। ବହୁତ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳି ନ ଥିଲା। ସୋମବାର ଘଟଣାସ୍ଥଳରୁ ପ୍ରାୟ ୫୦୦ମିଟର ଦୂରରେ ତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।