ଓଢଣୀ ଲଗାଇ ଝୁଲି ପଡ଼ିଲେ ନାବାଳିକା

ପାଟଣା,୨।୫(ସ୍ବ.ପ୍ର.):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ମଲାରପଦା ଗାଁ ନିକଟ ଏକ ସିମିରିଆ ଗଛରୁ ଜଣେ ୧୭ ବର୍ଷୀୟା ନାବାଳିକାଙ୍କର ଝୁଲନ୍ତା ମୃତଦେହ ସୋମବାର ସକାଳୁ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା କାଠ କରଞ୍ଜିଆ ଗ୍ରାମର ତିଳୋତ୍ତମା ମୁଣ୍ଡା। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ନାବାଳିକା ଜଣକ ବିନିଦା ଗ୍ରାମରେ ଭିଣୋଇଙ୍କ ଘରେ ରହି ଉଦୟପୁର କଲେଜରେ ପାଠ ପଢୁଥିଲେ। ସୋମବାର ସକାଳେ ଗାଁ ନିକଟ ଗଛରେ ଜଣେ ଝିଅ ଓଢଣୀରେ ଫାଶୀ ଲଗାଇଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ଏଏସଆଇ ସୁଜାତା ମହାନ୍ତ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏନେଇ ତୁରୁମୁଙ୍ଗା ଥାନାରେ ୯/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।