ଅଭିଯୁକ୍ତଙ୍କୁ ଗିରଫ ଦାବିକଲେ ବ୍ଲକ୍‌ କର୍ମଚାରୀ

ହାଟଡ଼ିହୀ,୨୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ନାମରେ ମିଥ୍ୟା ଅଭିଯୋଗ ପ୍ରସଙ୍ଗରେ କର୍ମଚାରୀମାନେ ଅଭିଯୁକ୍ତଙ୍କୁ ଗିରଫ ଦାବି ହୋଇଛି। ମାମଲାରେ ବିଡିଓ ଥାନାରେ ମାମଲା କରିଥିବା ବେଳେ ଗିରଫରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ୍‌ ଆବେଦନ କରିଥିଲେ। ଏବିଏଲଏପିଏଲ (ନଂ. ୬୬୩୯/୨୦୨୩)ରେ ଗତ ୨୭ ଜୁଲାଇ ୨୦୨୩ରେ ହାଇକୋର୍ଟ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଗିରଫ ନ କରିବା ପାଇଁ ମଧ୍ୟବର୍ତ୍ତୀ କାଳୀନ ସୁରକ୍ଷା ନିର୍ଦ୍ଦେଶ ଜାରି କରିଥିଲେ। ଏଥିସହ କେସ ଡ଼ାଏରୀ ଦାଖଲ ପାଇଁ ଆଦେଶ କରିଥିଲେ। ୨୪ ଅଗଷ୍ଟ ୨୦୨୩ ରେ ଉକ୍ତ ଜାମିନ୍‌ର ଶୁଣାଣି ହୋଇଥିବା ବେଳେ ବିଚାରପତି ଚିତ୍ତରଞ୍ଜନ ଦାଶ ଜାମିନକୁ ନାମଞ୍ଜୁର କରିଦେଇଛନ୍ତି। ଏଥିସହ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିବା ଜଣାପଡ଼ିବା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବି ଜୋରଧରିଛି।
ସୂଚନାଯୋଗ୍ୟ, ନନ୍ଦିପଦା ବିଡିଓ ଥାନାରେ କରିଥିବା ଅଭିଯୋଗ ଅନୁସାରେ ଶାଳନିଆ ପଞ୍ଚାୟତ ସୋଲପଟା ମୌଜାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ଖେଳ ପଡ଼ିଆ ଉନ୍ନତୀକରଣ ପାଇଁ ଏକ ପ୍ରକଳ୍ପ ଅନୁମୋଦନ ହୋଇଥିଲା। କିନ୍ତୁ ଟଙ୍କାଟିଏ ମଧ୍ୟ ବ୍ୟୟ ହୋଇନାହିଁ। ମାତ୍ର ଯୋଜନାରେ ଅନିୟମିତତା ହୋଇଥିବା ନେଇ ସୋଲପଟା ଗ୍ରାମର ହିମାଂଶୁ ଶେଖର ନାୟକ ନନ୍ଦିପଦା ଥାନାରେ ପିଇଓ ରମେଶ ମାଝୀ, ଜିଆରଏସ ଜ୍ୟୋତିସ୍ମିତା ସେନାପତି, ଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ସାହୁ ଓ ଧୀରେନ୍ଦ୍ର ମହାଳିକଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ କର୍ମଚାରୀମାନେ ବିଡିଓଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବିଡିଓ ଘଟଣାର ଅନୁଧ୍ୟାନ କରିଥିଲେ। ପରେ ନନ୍ଦିପଦା ଥାନାରେ ବିଡିଓ ବିନିତା ବିଜୟିନୀ ଚିଠି (ନଂ. ୧୫୩୭/୯ ମେ୨୦୨୩) ରେ ଏକ ମାମଲା ଦାୟର କରିଥିଲେ। ନନ୍ଦିପଦା ପୋଲିସ ୧୪ ମେ ୨୦୨୩ ରେ କେସ (ନଂ .୧୧୯/୨୦୨୩)ରେ ଏକ ମାମଲା ହିମାଂଶୁଙ୍କ ନାମରେ ରୁଜୁ କରିଥିଲା। ତଦନ୍ତକାରୀ ଅଧିକାରୀ ନରୋତ୍ତମ ଦଳେଇ କହିଛନ୍ତି, ବ୍ଲକ୍‌ର ବିଭିନ୍ନ କର୍ମଚାରୀଙ୍କଠାରୁ ବୟାନ ରେକର୍ଡ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ନ କରିବା ପାଇଁ ହାଇକୋର୍ଟଙ୍କଠାରୁ ଏକ ନିର୍ଦ୍ଦେଶ ପ୍ରଥମେ ଆସିଥିଲା। ଏବେ ଜାମିନ୍‌ ନାମଞ୍ଜୁର ଏବଂ ଖାରଜ ହେବା ବାବଦରେ ସୂଚନା ପାଇଛୁ। ଖୁବ୍‌ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।