ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଯୁବକଙ୍କ ଖପୁରୀ ଦୁଇଫାଳ

କେନ୍ଦୁଝର,୨୫ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଝାଡ଼ବେଲଦା ନିକଟରେ ଶନିବାର ଏକ ବୋର୍‌ଓ୍ବେଲ ଟ୍ରକ୍‌ ପଛରେ ଜଣେ ବାଇକ୍‌ ପିଟିହୋଇ ଯୁବକଙ୍କ ଜୀବନ ଯାଇଛି। ମୃତକ ଯୁବକ ଜଣଙ୍କ ହେଲେ ପଣ୍ତାପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟାପଡ଼ା ଗ୍ରାମର ପ୍ରଫୁଲ୍ଲ ନାଏକଙ୍କ ପୁଅ ବସନ୍ତ(୨୭)।

ସୂଚନାନୁଯାୟୀ, ବସନ୍ତ ଟାଟାପାଓ୍ବାର ଇଲେକ୍ଟ୍ରି ବିଭାଗରେ କାର୍ଯ୍ୟ କରୁଥିଲେ। ବୋରଓ୍ବେଲ୍‌ ଗାଡ଼ି ପଛରେ ବାଇକ୍‌ ଧକ୍କା ହେବାରୁ ବସନ୍ତଙ୍କ ମୁଣ୍ତ ଖପୁରୀ ଦୁଇଫାଳ ହୋଇଯାଇଥିଲା। ତୁରନ୍ତ ଏନ୍‌ଏଚ୍‌ ଆଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ବସନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସଦର ପୋଲିସ ଖବର ପାଇ ଦୁର୍ଘଟଣାଗ୍ରସ୍ତ ବାଇକ ଓ ବୋରଓ୍ବେଲ୍‌ ଉଭୟ ଗାଡ଼ି ଅଟକ ରଖି ତଦନ୍ତ ଚଳାଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ଥାନାଧିକାରୀ ଜୋନ୍‌ କୁଜୁର କହିଛନ୍ତି।