Categories: ଭଦ୍ରକ

ମାଛ ଜାଲରେ ପଡ଼ିଲା ବାଇକ୍‌

ଭଦ୍ରକ ଅଫିସ, ୧୦।୪-ମାଛ ଧରିବା ବେଳେ ଜାଲ ଉଠିଲାନି। ବଡ଼ ମାଛ ପଡ଼ିଥିବା ଭାବି ମତ୍ସ୍ୟଜୀବୀମାନେ ମିଶି ଜାଲ ଉଠାଇଲା ବେଳକୁ ସେଥିରେ ଏକ ବାଇକ୍‌ ପଡ଼ିଥିଲା। ଭଦ୍ରକ ଜିଲା ଧାମନଗର ବ୍ଲକ କାଞ୍ଜିଆପାଳ ଗ୍ରାମରେ ଶୁକ୍ରବାର ସକାଳେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, କାଞ୍ଜିଆପାଳ ଗଁାର ଆମ୍ବନାଳ ନିକଟରେ ମତ୍ସ୍ୟଜୀବୀ ମାଛ ଧରୁଥିଲେ। ଜଣେ ମତ୍ସ୍ୟଜୀବୀଙ୍କ ଜାଲ ଭାରି ଲାଗିଥିଲା। ତାଙ୍କ ଜାଲରେ ବଡ଼ ମାଛ ପଡ଼ିଥିବା ଭାବି ସେ ସ୍ଥାନୀୟ ଯୁବକମାନଙ୍କୁ ଡାକିଥିଲେ। ଯୁବକମାନେ ପହଞ୍ଚି ଜାଲ ଟାଣିବାରୁ ସେଥିରେ ଏକ ବାଇକ୍‌ ଲାଗିଥିବା ଦେଖିଥିଲେ। କିନ୍ତୁ ବାଇକ୍‌ଟି କାହାର ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ହୁଏ ତ କୌଣସି ଅପରାଧ ପରେ କିମ୍ବା ଚୋରା ବାଇକ୍‌କୁ ଲୁଚାଇବା ପାଇଁ କେହି ଦୁର୍ବୃତ୍ତ ନଦୀକୁ ପିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଏ ସମ୍ପର୍କରେ ଖବର ପାଇ ଧାମନଗର ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି।