ଭୁବନେଶ୍ୱର,୧୫ା୭(ସୁନିତ୍ ମିଶ୍ର): ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ସରକାରଙ୍କ ଉପରେ ପ୍ରବଳ ବର୍ଷିଛି। ଶଙ୍ଖ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ସୌମ୍ୟାଶ୍ରୀଙ୍କ ମୃତ୍ୟୁ ସାରା ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରିଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭକରି ସ୍ଥାନୀୟ ପୋଲିସ ପର୍ଯ୍ୟନ୍ତ କେହି ବି ସୌମ୍ୟାଶ୍ରୀଙ୍କ ଗୁହାରି ଶୁଣିଲେନାହିଁ। ଜଣେ ଝିଅର ନିର୍ଯାତନାକୁ ଅଣଦେଖା କରି ସରକାର ଉତ୍ସବ ମନାଇବାରେ ବ୍ୟସ୍ତ ରହିଲେ। ମୃତ୍ୟୁ ପରେ ପୋଲିସ ମାଧ୍ୟମରେ ମରଶରୀରକୁ ରାତିଅଧିଆ ପୁରୀ ନେଇ ଦାହକରିବାକୁ ସରକାର ଯୋଜନା କରିଥିଲେ। ସୌମ୍ୟାଶ୍ରୀଙ୍କ ପରିବାର ଏବଂ ଯୁବ ଓ ଛାତ୍ର ବିଜେଡିର ତୀବ୍ର ପ୍ରତିବାଦ ଫଳରେ ସରକାର ବାଧ୍ୟହୋଇ ତାଙ୍କ ନିଜ ଗାଁ ପଳାସିଆକୁ ମରଶରୀର ନେଇଥିଲେ।
ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ସୌମ୍ୟାଶ୍ରୀଙ୍କ ପ୍ରତି ହୋଇଥିବା ଅବିଚାର ବିରୋଧରେ ରାଜ୍ୟବ୍ୟାପୀ ଯୁବ ଓ ଛାତ୍ର ବିଜେଡି ରାଜରାସ୍ତାକୁ ଓହ୍ଲାଇସାରିଛି। ଏହି ଆନ୍ଦୋଳନ ତୀବ୍ରତର ହେବ ଓ ଯେଉଁମାନେ ସୌମ୍ୟାଶ୍ରୀଙ୍କୁ ସୁରକ୍ଷା ଦେବା ବଦଳରେ ମୃତ୍ୟୁ ମୁହଁକୁ ଠେଲିଦେଇଛନ୍ତି, ସେମାନେ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ। ଛାତ୍ରୀଙ୍କ ପରିବାରକୁ ୨ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଉ ବୋଲି ସେ କହିଛନ୍ତି। ଏହି ଅବସରରେ ବିଜେଡି ନେତ୍ରୀ ଈପ୍ସିତା ସାହୁ କହିଛନ୍ତି, ସୌମ୍ୟାଶ୍ରୀ ଏବିଭିପିର ଜଣେ କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ସେହି ସଙ୍ଗଠନର ଚକ୍ରାନ୍ତ ଲାଗି ତାଙ୍କୁ ଆତ୍ମାହୁତି ଦେବାକୁ ପଡ଼ିଲା ବୋଲି ସେ କହିଛନ୍ତି। ଏହି ଅବସରରେ ଯୁବ ଜନତା ଦଳ ନେତା ଧୃତି ମାର୍ଥା ମଧ୍ୟ ଉପସ୍ଥିତ ଥିଲେ।


