ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି। ଏହା ଜଣାପଡିବା ବିଭାଗୀୟ ବିଚାରପତି, କର୍ମଚାରୀ ଏବଂ ଓକିଲମାନେ କୋର୍ଟ ବାହାରକୁ ଆସିଥିବାବେଳେ ପୋଲିସ ତନାଘନା ଚଲାଇଛି।
ଓଡ଼ିଶାର ବିଭିନ୍ନ ଜିଲା କୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି। ଧମକପୂର୍ଣ୍ଣ ଇମେଲ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। କଟକ, ପୁରୀ, ସମ୍ବଲପୁର ଏବଂ ଫୁଲବାଣୀ କୋର୍ଟ ପରିସରରେ ଏବେ ହାଇ-ଆଲର୍ଟ ଜାରି କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି।
କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଏକ ଧମକପୂର୍ଣ୍ଣ ଇମେଲ ଆସିବା ପରେ କଟକରେ ଆଲର୍ଟ ଜାରି ହୋଇଛି। ପୋଲିସ ତୁରନ୍ତ କୋର୍ଟ ପରିସରକୁ ଖାଲି କରିବା ସହ ବୋମା ନିଷ୍କ୍ରିୟକାରୀ ଦଳ ସାହାଯ୍ୟରେ ଖାନତଲାସି ଆରମ୍ଭ କରିଛି।

