ହାଇଓ୍ବା ଧକ୍କାରେ ଚାଲିଗଲା ଶିଶୁକନ୍ୟାର ଜୀବନ

କେନ୍ଦୁଝର,୧୫ା୪(ସ୍ବ.ପ୍ର.): ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତ ଧଳାଡିହି ଗ୍ରାମରେ ଶନିବାର ଅପରାହ୍ନରେ ଏକ ହାଇଓ୍ବା ଧକ୍କାରେ ୩ ବର୍ଷ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ତପନ ବାରିକଙ୍କ ଝିଅ ଖୁସି ବୋଲି ଜଣାପଡ଼ିଛି। ଆଜି ଅପରାହ୍ନରେ ଧଳାଡିହି ଗ୍ରାମର ଗାୟତ୍ରୀ ବାରିକ ତାଙ୍କ ୩ ବର୍ଷର ଝିଅ ଖୁସିକୁ ନେଇ ପାଣି ଆଣିବାକୁ ଗାଁର ଏକ ଟ୍ୟାବ୍‌ ନିକଟକୁ ଯାଇଥିଲେ। ପିଇବା ପାଣି ଆଣୁଥିବାବେଳ ଝିଅଟି ହଠାତ୍‌ ରାସ୍ତା ଉପରକୁ ଚାଲିଯିବାରୁ ଉକ୍ତ ରାସ୍ତାରେ ଧଳାଡିହି ପୋଲ କାମ କରୁଥିବା ଏକ ହାଇଓ୍ବା ଧକ୍କାରେ ଖୁସିଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଧଳାଡିହି ଗ୍ରାମରେ ଉତ୍ତେଜନା ଲାଗିରହିଛି। ସ୍ଥାନୀୟ ଗ୍ରାମବାସୀ ମୃତ ଶିଶୁକନ୍ୟା ମୃତଦେହ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବିରେ ଫୁଲଝର-ଧଳାଡିହି-ବଣେଇ ରାସ୍ତାରୋକୋ କରିଛନ୍ତି। ବାଂଶପାଳ ତହସିଲଦାର ତପନ କୁମାର ସାହୁ, ନୟାକୋଟ ଥାନା ଅଧିକାରିଣୀ ସ୍ବର୍ଣ୍ଣମଣି ହେମ୍ବ୍ରମ ଏବଂ ପୋଲିସ କର୍ମଚାରୀ ଲୋକମାନଙ୍କୁ ବୁଝାଶୁଝା ପରେ ଏବଂ ଠିକାଦାର କ୍ଷତିପୂରଣ ଦେବା ପରେ ରାସ୍ତାରୋକୋ ହଟିଛି।