କରୋନା କଟକଣା ମଧ୍ୟରେ ତାରାତାରିଣୀ ପୀଠରେ ଶାରଦୀୟ ପର୍ବ ଆରମ୍ଭ, ଭକ୍ତଶୂନ୍ୟ ହୋଇଛି ମନ୍ଦିର

ପୁରୁଷୋତ୍ତମପୁର,୧୦ା୯: ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ଶାରଦୀୟ ପର୍ବ ଆରମ୍ଭ ହୋଇଛି। ପ୍ରତିବର୍ଷ ଶହଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ ବର୍ତ୍ତମାନ କରୋନା କଟକଣା ଯୋଗୁ ମନ୍ଦିର ଭକ୍ତ ବିହୀନ ହୋଇପଡ଼ିଛି। କଟକଣା ମଧ୍ୟରେ ଦେବନୀତି ଓ ପରମ୍ପରା ଅନୁଯାୟୀ, ପର୍ବ ମୁଖ୍ୟ ପୁରୋହିତ ପଣ୍ଡିତ ସୀମାଞ୍ଚଳ ଦାଶ ଶର୍ମାଙ୍କ ଦାରା ଆରମ୍ଭ ହୋଇଥିବା ବେଳେ କର୍ତ୍ତା ଭାବେ ସେବାୟତ ସଂଘ ସଭାପତି ତପନ କୁମାର ରଣା ରହିଛନ୍ତି। ବୁଧବାର ସେବାୟତମାନେ ପବିତ୍ର ଋଷିକୂଲ୍ୟାରୁ ୧୦୮ କଳସରେ ଜଳ ଆଣି ମା’ ତାରା ତାରିଣୀ ଦୁଇ ଭଉଣୀଙ୍କୁ ସ୍ନାନ କରାଇବା ସହ ମାଜଣା କରି ରାତିରେ ମହିଷାମର୍ଦ୍ଦିନୀ ବେଶରେ ସଜ୍ଜିତ କରାଇଥିଲେ। ଶୁକ୍ରବାର ମୂଳାଷ୍ଟମୀ ହୋଇ ଥିବାରୁ ମା’ଙ୍କ ପର୍ବ ଆରମ୍ଭ ହୋଇଛି। ଏହା ମହା ଅଷ୍ଟମୀରେ ଶେଷ ହେବ। ପ୍ରତିବର୍ଷ ମୂଳା ଅଷ୍ଟମୀଠାରୁ ମହା ଅଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ପର୍ବ ହେଉଥିବା ବେଳେ ମାତ୍ର ଚଳିତ ବର୍ଷ ମଳମାସ ପଡ଼ିଥିବା ହେତୁ ଏହି ପର୍ବ ଦୀର୍ଘ ୪୫ ଦିନ ଧରି ଚାଲି ମହାଷ୍ଟମୀରେ ଉଦ୍‌ଯାପିତ ହେବ। ଏଥିରେ ପ୍ରତ୍ୟେକ ଦିନ ଚଣ୍ଡୀ ପାଠ, ଶୋଡ଼ଷ ପୂଜା, ହୋମଯଜ୍ଞ, ଆଦି ପରମ୍ପରା ଅନୁସାରେ ସମସ୍ତ ପ୍ରକାର ପୂଜା ପାଠ, ଶୃଙ୍ଗାର ହେବ ବୋଲି ସେବାୟତ ବାପୁଜୀ ରଣା କହିଛନ୍ତି। ମହାମାରୀ କରୋନାରୁ ରକ୍ଷା ଲାଗି ସେବାୟତମାନେ ସ୍ବତନ୍ତ୍ର ପୂଜାପାଠ କରିବାରେ ଲାଗିପଡ଼ିଛନ୍ତି। ଏହାକୁ ମନ୍ଦିର ନର୍ବାହୀ ଅଧିକାରୀ ଟିକେ ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ସମସ୍ତ ପୂଜକ ସହାୟତା କରୁଛନ୍ତି।