ବଦଳିଲା ଚୋରଙ୍କ ମନୋଭାବ : ମନ୍ଦିରରେ ରଖିଦେଲେ ଚୋରି ସାମଗ୍ରୀ

ଯୋଡ଼ା,୨୪ା୧୦(ଡି.ଏନ.ଏ): ପରିସ୍ଥିତିରେ ପଡ଼ି ହେଉ କିମ୍ବା ଅଳ୍ପ ପରିଶ୍ରମରେ ଅଧିକ ରୋଜଗାର ଆଶାରେ କେହି କେହି ଚୋରି ଭଳି ଖରାପ ବାଟକୁ ବାଛିଥାନ୍ତି। ଏମିତି କିଛି ଲୋକ ଥାଆନ୍ତି, ଯେଉଁମାନେ ଚୋରି ତ କରନ୍ତି କିନ୍ତୁ ପରବର୍ତ୍ତି ସମୟରେ ପଶ୍ଚାତାପ କରି ଚୋରି ସାମଗ୍ରୀ ଫେରାଇଥାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ। ମନ୍ଦିରରୁ ଚୋରି ହୋଇଥିବା କେତେକ ସାମଗ୍ରୀ ଦୁର୍ବୃତ୍ତ ମନ୍ଦିରରେ ପୁଣି ଥୋଇଦେଇଥିବା ଦେଖାଯାଇଛି।
ଯୋଡ଼ାଠାରେ ଥିବା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିଲା। ଦୁର୍ବୃତ୍ତ ପିତ୍ତଳ ଗରା ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ପଳାଇ ଥିଲେ। ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା। ତେବେ ରବିବାର ସକାଳେ ଚୋରି ହୋଇଥିବା ସାମଗ୍ରୀ ମନ୍ଦିର ପରିସରରେ କେହି ଥୋଇଦେଇ ଯାଇଥିବା ଦେଖିବାକୁ ମିଳିଥିଲା। ଚୋର ତାଙ୍କ ମନ ବଦଳାଇ ଅଥବା ଠାକୁରଙ୍କ ପ୍ରତି ଭକ୍ତି ଭାବନାରୁ ଚୋରି ସାମଗ୍ରୀ ଫେରାଇ ଦେଇଥିବା ଆଲୋଚନା ହେଉଛି। ଉଲ୍ଲେଖଯୋଗ୍ୟ, ଉକ୍ତ ମନ୍ଦିରରୁ ପୂର୍ବରୁ ମଧ୍ୟ ଚୋରି ହୋଇଥିଲା। ମାତ୍ର ଅଦ୍ୟାବଧି କୌଣସି ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ।