ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କୁମଖାଳ ଛକରୁ ସିନ୍ଧିବାହାଳୀ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡିଥିଲେ ମଧ୍ୟ ପ୍ରଶାସନ ନ ଶୁଣିବାରୁ ଶେଷରେ ଅଞ୍ଚଳବାସୀ ନିଜସ୍ବ ଖର୍ଚ୍ଚରେ ମରାମତି କରିଛନ୍ତି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ ହୋଇଛି। ହେଲେ ମରାମତି ଅଭାବରୁ ରାସ୍ତା ଶୋଚନୀୟ ହୋଇପଡିଥିଲା। ସ୍ବଳ୍ପ ବର୍ଷା ହେଲେ ଖାଲରେ ପାଣି ଜମି କୃତ୍ରିମ ପୋଖରୀ ସୃଷ୍ଟି ହୋଇଥାଏ। ଏଥିରେ ଲୋକେ ଯାତାୟାତରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏପରି କି ଚାରିଚକିଆ ଯାନ ବା ଆମ୍ବୁଲାନ୍ସ ଯିବା ଦୂରର କଥା ବାଇକ୍ଟିଏ ମଧ୍ୟ ଯିବା କଷ୍ଟକର ହୋଇପଡୁଛି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ପ୍ରଶାସନକୁ ବହୁବାର ଅଭିଯୋଗ ସତ୍ତ୍ୱେ ସୁଫଳ ମିଳି ନ ଥିଲା। କୁମଖାଳ ଛକରୁ ସିନ୍ଧିବାହାଳୀ ପର୍ଯ୍ୟନ୍ତ ଆମ୍ବୁଲାନ୍ସ କିପରି ପହଞ୍ଚି ପାରିବ ସେ ନେଇ ଅଞ୍ଚଳବାସୀ ଏକତ୍ରିତ ହୋଇ ରାସ୍ତାକୁ ମୋରମ ମାଟି ପକାଇ ମରାମତି କରିଛନ୍ତି। ଏଥିରେ ରାଜୀବ ଗାନ୍ଧୀ ସଙ୍ଗଠନର ଲାଞ୍ଜିଗଡ଼ ବ୍ଲକ ଆବାହକ ମୁଳୁ ମାଝୀ ନେତୃତ୍ୱ ନେଇଥିବାବେଳେ ସାମାଜିକ କର୍ମୀ ବନବାସ ବାଗ, ଗଗନ ବିଭାର, କାଳିଆ ବିଭାର, ଧର୍ମୁ ବାଗ, ବାକୁ ମାଝୀ ସମେତ ଅଞ୍ଚଳବାସୀ ସହଯୋଗ କରିଥିଲେ।


