ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ପ୍ରତାରଣା: ଅଭିଯୁକ୍ତ ଗଲେ ଜେଲ୍‌

କୋକସରା,୨ା୩(ଡି.ଏନ୍‌.ଏ.): ପ୍ରଥମେ ପ୍ରେମ ପରେ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଘରୁ ଫେରାର କରି ତା’ସହ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି କୋକସରା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଜାମିନ ନାମଞ୍ଜୁର ହେବାରୁ ବୁଧବାର କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି ।

ସୂଚନାନୁସାରେ, କାଶୀବାହାଲ ପଞ୍ଚାୟତର ଧନସରା ଗ୍ରାମର ଯୁବକ ସୁଶାନ୍ତ କୁମାର ନାଏକ ସେହି ଗ୍ରାମର ଜଣେ ଅନ୍ୟ ଜାତିର ଯୁବତୀଙ୍କୁ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଘରୁ ଗତମାସ ୨୫/୦୧ରେ ଫେରାର କରି କଳାହାଣ୍ଡି ଜିଲାର ମୋହନଗିରି ଅଞ୍ଚଳରେ ନିଜ ସମ୍ପର୍କୀୟ ଘରେ ରଖି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ଅନ୍ୟ ଜାତିର ହୋଇଥିବା କାରଣରୁ ଯୁବକଙ୍କ ପରିବାର ଏହାକୁ ବିରୋଧ କରି ଆସୁଥିଲେ। ଯୁବକ ଜଣଙ୍କ ଯୁବତୀଙ୍କୁ ସେହି ସ୍ଥାନରୁ ଆଣି ଗାଁରେ ଛାଡ଼ିଥିଲେ। ପରିବାର ଚାପରେ ଯୁବକ ମଧ୍ୟ ନିଜ ପ୍ରତିଶ୍ରୁତିରୁ ଓହରି ଯୁବତୀଙ୍କୁ ପ୍ରତାରଣା କରିବା ସହ ବିବାହ ପାଇଁ ମନା କରିଥଲେ। ଏ ନେଇ ସମ୍ପୃକ୍ତ ପୀଡ଼ିତା ଯୁବତୀ କୋକସରା ଥାନାରେ ଫେବୃୟାରୀ ୨୦ରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ଯୁବକଙ୍କୁ ଆଜି ଗିରଫ କରିଛି।

ଯୁବତୀଙ୍କ ଡାକ୍ତରୀ ମାଇନା ଏବଂ ୧୬୪ ବୟାନ ମାଜିଷ୍ଟ୍ରେଟଙ୍କ ନିକଟରେ ଦେବା ପରେ ପୋଲିସ ବୁଧବାର ଅଭିଯୁକ୍ତ ଯୁବକ ସୁଶାନ୍ତ କୁମାର ନାଏକକୁ କେସ୍‌ ନଂ ୪୩/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା କୋକସରା ଥାନାଧିକାରୀ ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି।