ନନ୍ଦପୁର,୧୬ା୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକର ୨୩ ପଞ୍ଚାୟତବାସୀ, ଶିଶୁ, କିଶୋର, ମହିଳା, ଯୁବଗୋଷ୍ଠୀ ଓ ବୃଦ୍ଧାବୃଦ୍ଧଙ୍କ ପାଇଁ କୌଣସି ଚିତ୍ତ ବିନୋଦନର ସାଧନ ନ ଥିବା ଦେଖିବାକୁ ମିଳିଛି। ବ୍ଲକ୍ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଥିବା ବେଳେ ଦୈନିକ ପର୍ଯ୍ୟଟକ ଏହି ଅଞ୍ଚଳକୁ ଆଗମନ ହେଉଛି। ଲୋକଙ୍କ ଚିତ୍ତ ବିନୋଦନ ସାଧନ ନିର୍ମାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରୁଥିଲେ ସୁଦ୍ଧା ବ୍ଲକ୍ ସଦର ମହକୁମା ସମେତ ୨୩ ପଞ୍ଚାୟତରେ ଏଯାଏ ଗୋଟିଏ ମଧ୍ୟ ଶିଶୁ ଉଦ୍ୟାନ, ପାଠାଗାର, ଚିତ୍ତ ବିନୋଦନ କେନ୍ଦ୍ର ଓ ଖେଳପଡ଼ିଆ ନିର୍ମାଣ ହୋଇ ନ ଥିବା ଅଭିଯୋଗ ହୋଇଛି। ଶିଶୁ, କିଶୋରୀ ଓ ଯୁବ ଗୋଷ୍ଠୀଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ବାଧକ ହେଉଛି। ଭିତ୍ତିଭୂମି ଅଭାବରୁ ଛୋଟ ଶିଶୁ ଓ ପିଲାମାନେ ସମୟ ଅତିବାହିତ କରିବାକୁ ସାଧନ ପାଉନାହାନ୍ତି। ଏଥିଯୋଗୁ ବାଧ୍ୟ ହୋଇ ବହୁଳ ପରିମାଣରେ ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ସ୍ମାର୍ଟଫୋନ ଯୋଗୁ ପିଲାଙ୍କ ଉପରେ କୁପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳୁଛି। ସେମାନଙ୍କ ସ୍ବାସ୍ଥ୍ୟ ସହ ମାନସିକ ଅବିବୃଦ୍ଧିରେ ବାଧା ଆସୁଛି। ସମାନ ଅବସ୍ଥା ଯୁବଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳେ। ବୃଦ୍ଧାବୃଦ୍ଧ ବରିଷ୍ଠ ନାଗରିକ ଚାଲିବା, ବୁଲିବା, ବସିବା ପଢ଼ିବା ଆଦି ସାଧାରଣ ସୁବିଧା ନ ପାଇ ଚାପଗ୍ରସ୍ତ ହୋଇରହୁଛନ୍ତି। ଅଞ୍ଚଳରେ ଶିଶୁଉଦ୍ୟାନ, ଖେଳପଡ଼ିଆ ଓ ପଠାଗାର ଆଦି ନିର୍ମାଣ ହେଲେ ଆବାଳ ବୃଦ୍ଧବନିତାଙ୍କ ମାନସିକ ଅଶାନ୍ତି କମିବା ସହ ସେମାନଙ୍କୁ ସୁସ୍ଥ ବାତାବରଣରେ ଜୀବନଯାପନ କରିବାକୁ ମାଧ୍ୟମ ମିଳିବ ବୋଲି ମତ ରହିଛି। ରାଜ୍ୟ, କେନ୍ଦ୍ର ସରକାର, ପଞ୍ଚାୟତ, ବ୍ଲକ, ମହିଳା ଓ ଶିଶୁ ବିକାଶ ବିଭାଗ, ଯୁବ ବ୍ୟାପାର, ସାମାଜିକ ସୁରକ୍ଷା ବିଭାଗ ବ୍ଲକ ଅଞ୍ଚଳରେ ଶିଶୁଉଦ୍ୟାନ, ଖେଳପଡିଆ, ପାଠାଗାର ଓ ଜିମ ଆଦି ଭିତ୍ତିଭୂମି ବିକାଶ କରିବା ନେଇ ଧ୍ୟାନ ଦେଉ ନ ଥିବା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର, ଜିଲା ଓ ବ୍ଲକ୍ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।

