ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା ମଦରେ ଆଲକୋହଲ୍‌ର ପରିମାଣ ନିର୍ଦ୍ଧାରିତ ମାନକ ମଧ୍ୟରେ ରହୁଛି କି ନାହିଁ, ତାହା ନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି।

ଏନରିକା ଏଣ୍ଟରପ୍ରାଇଜେଜ୍‌ର ୧୧ ପ୍ରକାର ମଦ ଉପରେ ଅସ୍ଥାୟୀ ଭାବେ ବିକ୍ରି ରୋକିବା ଏବଂ ମାତ୍ର ଗୋଟିଏ ଦିନ ମଧ୍ୟରେ ଏହି ରୋକ ହଟାଇବା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇବା ପରେ ସରକାର ଏହି କଡ଼ା ପଦକ୍ଷେପ ନେଇଛନ୍ତି । ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ଅଥରିଟି ଅଫ୍ ଇଣ୍ଡିଆ (FSSAI)ର ନିର୍ଦ୍ଦେଶ ପରେ TASMAC ଅଗଷ୍ଟ ୧୩ରେ ଏନରିକା ଏଣ୍ଟରପ୍ରାଇଜେଜ୍‌ର ୧୧ ପ୍ରକାର ମଦର ବିକ୍ରି ଉପରେ ରୋକ ଲଗାଇଥିଲା। ତେବେ ପରଦିନ ପ୍ରୋହିବିସନ୍ ଆଣ୍ଡ ଏକ୍ସାଇଜ୍ ବିଭାଗ ଏହି ରୋକ ହଟାଇବାକୁ ସୁପାରିସ କରିଥିଲା।ଏତେ କମ୍ ସମୟ ମଧ୍ୟରେ ବିକ୍ରି ଉପରୁ ରୋକ ହଟାଇବା ଘଟଣାକୁ ନେଇ ମଦ ଗ୍ରାହକ ଏବଂ TASMAC କର୍ମଚାରୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଥିଲା।

TASMACର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଡିଷ୍ଟିଲେରୀରେ ମଦ ପ୍ରସ୍ତୁତ ହେବା ପରେ ଏହାର ନମୁନା ସଂଗ୍ରହ କରାଯାଏ। ଏହି ନମୁନାକୁ ଚେନ୍ନାଇର ଗିଣ୍ଡିସ୍ଥିତ କେନ୍ଦ୍ରୀୟ ସରକାରୀ ଲାବରେଟୋରୀକୁ ପଠାଯାଏ। ଲାବରେଟୋରୀର ଟେଷ୍ଟ ସାର୍ଟିଫିକେଟ୍ ଆଧାରରେ ଗୁଣବତ୍ତା ନିଶ୍ଚିତ ହେବା ପରେ ହିଁ ବୋତଲିଂ ଓ ବିକ୍ରି ପାଇଁ ମଦ ପଠାଯାଏ । ଏହାସହ TASMAC ଅଧିକାରୀମାନେ ରିଟେଲ୍ ଦୋକାନରୁ ରାଣ୍ଡମ୍ ଭାବେ ବୋତଲ ଚୟନ କରି ଲାବ୍‌ରେ ପରୀକ୍ଷା କରାନ୍ତି। ଅଧିକାରୀଙ୍କ କହିବା ଅନୁସାରେ, ମଦରେ ଆଲକୋହଲ୍‌ର ପରିମାଣ ନିର୍ଦ୍ଧାରିତ ସୀମା ମଧ୍ୟରେ ଅଛି କି ନାହିଁ, ତାହା ଯାଞ୍ଚ କରାଯାଏ । ସାଧାରଣ ବିକ୍ରି ପାଇଁ ଆବଶ୍ୟକ ମାନକ ଅନୁସାରେ ମଦରେ ପ୍ରାୟ ୪୨.୮ ପ୍ରତିଶତ ABV ଆଲକୋହଲ୍ ରହିବା ଆବଶ୍ୟକ। ଅନ୍ୟପଟେ ୱାଇନ୍‌ରେ ସାଧାରଣତଃ ୧୨ରୁ ୧୫ ପ୍ରତିଶତ ଏବଂ ବିୟରରେ ୫ରୁ ୮ ପ୍ରତିଶତ ABV ରହିଥାଏ।

ତେବେ ହେଲଥ ଏକ୍ସପର୍ଟ ଓ ଉପଭୋକ୍ତା ସଂଗଠନଗୁଡ଼ିକ କହିଛନ୍ତି ଯେ କେବଳ ଆଲକୋହଲ୍‌ର ପ୍ରତିଶତ ଯାଞ୍ଚ କରିବା ଆଧୁନିକ ଫୁଡ୍ ସେଫ୍ଟି ମାନକ ପାଇଁ ପର୍ଯ୍ୟାପ୍ତ ନୁହେଁ । TASMAC ମାଧ୍ୟମରେ ପ୍ରାୟ ୨୫୦ଟି ଦେଶୀ ଓ ଅନ୍ୟ ରାଜ୍ୟର ମଦ ବ୍ରାଣ୍ଡ ବିକ୍ରି ହେଉଛି । ଏନରିକା ଘଟଣା ପରେ ସମସ୍ତ ଡିଷ୍ଟିଲେରୀରେ ଗୁଣବତ୍ତା ଯାଞ୍ଚକୁ ଆହୁରି କଡ଼ା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Dharitri – Odisha’s No.1 Odia Daily

Share