ଶାଶୁଘର ଚାଲିଯିବେ ପଞ୍ଚଠାକୁରାଣୀ

ପୁରୁଷୋତ୍ତମପୁର,୩୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ମଙ୍ଗଳବାର ଶେଷ ହେଉଛି। ଏହି ଯାତ୍ରା ଗତ ୩ ତାରିଖଠାରୁ ଆରମ୍ଭ ହୋଇଥିଲା। ମା ପଞ୍ଚଠାକୁରାଣୀ ନିଜ ମନ୍ଦିର ଛାଡ଼ି ବାପଘର ପୁରୁଷୋତ୍ତମପୁର ସହରର ବଡ଼ବଜାର ସ୍ଥିତ ଅସ୍ଥାୟୀ ମନ୍ଦିରକୁ ଆସି ବିଜେ କରିବା ସହ ପ୍ରତ୍ୟହ ସନ୍ଧ୍ୟାରେ ସାହି ସାହି ବୁଲି ଭକ୍ତଙ୍କୁ ଦର୍ଶନ ଦେଉଥିଲେ। ମାତ୍ର ମା’ ଦୀର୍ଘ ୨୮ ଦିନ ହେଲା ମା’ ଶାଶୁଘର ଛାଡ଼ି ବାପଘର ଚାଲି ଆସିଥିବାରୁ ଶାଶୁଘର ଲୋକେ (କନକା ସାହି ବାସିନ୍ଦା) ରବିବାର ରାତ୍ରରେ ବିରାଟ ପଟୁଆରରେ ବଡ ବଜାର ସ୍ଥିତ ଅସ୍ଥାୟୀ ମନ୍ଦିର (ବାପଘର)କୁ ଆସି ପୂଜାର୍ଚ୍ଚନା କରି ନିଜ ଘରକୁ ଫେରିଯିବା ଲାଗି ଡାକିଥିଲେ। ଶାଶୁଘର ପକ୍ଷରୁ ଏହି ଡାକରା ପାଇ କିମ୍ବଦନ୍ତୀ ପୂର୍ଣ୍ଣ ମା’ କନକା ଠାକୁରାଣୀଙ୍କ ସମେତ ପୁଅ କାଳୁଆ, ବୋହୁ ଫୁଲସୁନ୍ଦରୀ, ଝିଅ ତାରାତାରିଣୀ ଓ କାଳୀ ଆଦି ପଞ୍ଚ ଠାକୁରାଣୀ ନିଜ ଘରକୁ ମଙ୍ଗଳବାର ମଧ୍ୟରାତିରେ ଫେରିଯିବେ। ଏହି ଯାତ୍ରା ଲାଗି ବହୁ ଭକ୍ତଙ୍କ ଭିଡ଼ ଲାଗି ରହୁଛି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ବଣିକ ସଂଘ ମାନ ପକ୍ଷରୁ ସହରର ବହୁ ସ୍ଥାନରେ ବିଭିନ୍ନ ପ୍ରକାର ରନ୍ଧାଖାଦ୍ୟ ମାନ ବଣ୍ଟନ କରାଯାଉଛି। ଏହା ସାଙ୍ଗକୁ ବିଭିନ୍ନ ସାହି ବସ୍ତିରେ ସୁନ୍ଦର ସୁନ୍ଦର ମେଢ, କଳାକୁଞ୍ଜ ମାନ ନିର୍ମାଣ କରାଯିବା ସହ ସୁନ୍ଦର ସୁନ୍ଦର ରଙ୍ଗିନ ଆଲୋକମାଳାରେ ଝଲସି ଉଠୁଛି। ମାନସିକଧାରୀମାନେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ସାହି ସାହି ବୁଲିବାରେ ଲାଗିଛନ୍ତି। ସ୍ବପ୍ନେଶ୍ୱର କାଳୀଯାତ୍ରା ପଡ଼ିଆରେ ଚାଲିଛି ଅପେରା ଓ ଦୋଳି, ମିନାବଜାର ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ। ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ପୋଲିସ ଅଫିସର ଓ ଫୋର୍ସ ମୁତୟନ ରହି ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରୁଛନ୍ତି।