ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି ତାଙ୍କ ପ୍ରତିରକ୍ଷା ସଚିବ ପେଟେ ହେଗସେଥ ସୂଚନା ଦେଇଛନ୍ତି ଯେ ପ୍ରତ୍ୟେକ ୩୦ ବର୍ଷରୁ ଅଧିକ ବୟସର ସୈନିକଙ୍କଠାରେ ଟେଷ୍ଟୋଷ୍ଟେରୋନ ହରମୋନର ମାତ୍ରା ଠିକ୍ ଅଛିକି ନାହିଁ ତାହା ପରୀକ୍ଷା ହେବ। ଯେଉଁମାନଙ୍କଠାରେ ଏହା କମ୍ ଥିବ ସେମାନଙ୍କୁ ‘ହରମୋନ ପ୍ରତିସ୍ଥାପନ ଚିକିତ୍ସା’ କରାଯିବ। ସାଧାରଣତଃ ଯୌବନର ଆଦ୍ୟ କାଳରେ ପୁରୁଷଙ୍କଠାରେ ଏହି ହରମୋନ୍ ବୃଦ୍ଧି ପାଇଥାଏ। ଏହା ସେମାନଙ୍କ ମାଂସପେଶୀକୁ ଶକ୍ତକରେ, ଶରୀରର ବିଭିନ୍ନ ଅଙ୍ଗରେ କେଶ ବଢ଼ିବାକୁ ଦିଏ, ମନକୁ ଆକ୍ରମଣାତ୍ମକ କରେ, ଆତ୍ମବିଶ୍ୱାସ ଓ ଯୌନ କାମନା ବୃଦ୍ଧିକରେ ଏବଂ ଶୁକ୍ର ଉତ୍ପାଦନ କରାଏ। ବୟସ ୩୦ରୁ ୪୦ ବର୍ଷ ହେବା ବେଳକୁ ଧୀରେ ଧୀରେ ଏହା ହ୍ରାସ ପାଇବାକୁ ଲାଗେ। ଅତଏବ ସେମାନଙ୍କଠାରେ ଏସବୁ ଲକ୍ଷଣ ପ୍ରଶମିତ ହେବାକୁ ଆରମ୍ଭ କରେ। ବିଶ୍ୱର ପ୍ରାୟ ୧୦ରୁ ୪୦ ଶତାଂଶ ୩୦ରୁ ୪୦ ବର୍ଷ ବୟସ୍କ ଲୋକଙ୍କଠାରେ ଟେଷ୍ଟୋଷ୍ଟେରୋନ୍ କମ୍ ହୋଇଥିବାର ଦେଖାଯାଏ।
ଟେଷ୍ଟୋଷ୍ଟେରୋନ୍ ହେଲା ମୁଖ୍ୟ ପୁରୁଷ ଯୌନ ହରମୋନ। ଜନ୍ମ ପୂର୍ବରୁ ଶରୀରରେ ତାହା ଉତ୍ପନ୍ନ ହୋଇଥାଏ। ଭ୍ରୂଣକୁ ୭ ସପ୍ତାହ ହେଲାବେଳଠାରୁ ତା’ଠାରେ ଥିବା ଓ୍ବାଇ-କ୍ରୋମୋଜମ୍ର ଏକ ଜିନ୍ ପୁରୁଷଠାରେ ଅଣ୍ଡକୋଷର ବିକାଶ ଘଟାଏ ଏବଂ ତାହା ଏ ହରମୋନ ସୃଷ୍ଟି କରେ, ଯାହାକି ପୁଂ-ପ୍ରଜନନକାରୀ ଅଙ୍ଗମାନ ସୃଷ୍ଟି କରାଏ। ଆଦ୍ୟ ଯୌବନ କାଳରେ ଯୁବକଙ୍କଠାରେ ଏହା ସମସ୍ତ ପୁରୁଷ ସୁଲଭ ଲକ୍ଷଣ ପ୍ରକଟ କରେ। ଏହା ବ୍ୟତୀତ ଶରୀରରେ ଲୋହିତ ରକ୍ତକଣିବା ସୃଷ୍ଟି ହେବାରେ ତାହାର ଭୂମିକା ରହିଛି।
ନାରୀମାନଙ୍କ ଡିମ୍ବାଶୟ(ଓଭାରିଜ୍)ରେ ଏହା କିଛି ପରିମାଣରେ ଉତ୍ପନ୍ନ ହୁଏ। ତେବେ ତାଙ୍କଠାରେ ତହିଁରୁ ଅଧିକାଂଶ ଯୌନ ହରମୋନ ‘ଏଷ୍ଟ୍ରଡୋଲ’ରେ ପରିଣତ ହୋଇଯାଏ। ଟେଷ୍ଟୋଷ୍ଟେରୋନର ପୁରୁଷଙ୍କ ଭଳି ନାରୀଠାରେ ମଧ୍ୟ ଯୌନକାମନା, ମାନସିକ ଅବସ୍ଥା, ହାଡ଼ ଓ ମାଂସପେଶୀର ଶକ୍ତିବୃଦ୍ଧି ଆଦି ପ୍ରକ୍ର୍ରିୟାରେ ଭୂମିକା ରହିଛି।
କେବଳ ପୁରୁଷଙ୍କ ଅଣ୍ଡକୋଷ ଏବଂ ନାରୀଙ୍କ ଡିମ୍ବାଶୟରେ ଏ ହରମୋନ ଉତ୍ପନ୍ନ ହୁଏ ନାହିଁ। ସେ ଉଭୟଙ୍କର ଆଡ୍ରେନାଲ ଗ୍ରନ୍ଥି ମଧ୍ୟ ଏଥିରେ କିଛି ଉତ୍ପାଦନ କରିଥାଏ। ଜଣେ ଲୋକଠାରେ ଏହା କେତେ ପରିମାଣରେ ଉତ୍ପନ୍ନ ଏବଂ କ୍ଷରଣ ହେବ ତାହା ତା’ର ‘ହାଇପୋଥାଲାମସ’ ଏବଂ ପିଟ୍ୟୁଟାରି ଗ୍ରନ୍ଥି ନିୟନ୍ତ୍ରଣ କରିଥାନ୍ତି।
ଶରୀରରେ ଟେଷ୍ଟୋଷ୍ଟେରୋନ୍ର ସ୍ତର ମୁଖ୍ୟତଃ ସକାଳର ରକ୍ତପରୀକ୍ଷାରୁ ଜଣାପଡେ। ପିଲାଙ୍କଠାରେ ଏହା ଅତିକମ୍ରେ ଡେସିଲିଟର ପ୍ରତି ୨୫ ନାନୋଗ୍ରାମ ରହିବା ଦରକାର। ପୁରୁଷର ବୟସ ୧୮ ବର୍ଷ ହେଲା ବେଳକୁ ତାହା ୧୦୦୦ ନାନୋଗ୍ରାମରେ ପହଞ୍ଚତ୍ପାରେ। ତେବେ ୪୦ ବର୍ଷରେ ପହଞ୍ଚତ୍ଲା ପରେ ତାହା କ୍ରମଶଃ ହ୍ରାସପାଏ। ଯୌବନ ଆରମ୍ଭରେ ନାରୀଙ୍କଠାରେ ଏହା ଡେସିଲିଟର ପ୍ରତି ପ୍ରାୟ ୪୬ ନାନୋଗ୍ରାମ ଥାଏ। ତେବେ ବୟସ ୨୦ ବର୍ଷ ଟପିଲେ ତାହା ସେମାନଙ୍କଠାରେ ହ୍ରାସ ପାଇବା ଆରମ୍ଭ କରେ।
କେତେକ ଅବସ୍ଥାରେ ଶରୀର ଅତ୍ୟଧିକ ମାତ୍ରାରେ ଟେଷ୍ଟୋଷ୍ଟେରୋନ ଉତ୍ପନ୍ନ କରିଥାଏ। ପ୍ରାପ୍ତ ବୟସ୍କା ନାରୀଠାରେ ଏପରି ହେଲେ ଋତୁସ୍ରାବରେ ଅନିୟମିତତା, ଶରୀରରେ କେଶବୃଦ୍ଧି ଆଦି ଘଟିଲା ବେଳେ ପ୍ରାପ୍ତ ବୟସ୍କ ପୁରୁଷଠାରେ ଆକ୍ରମଣାତ୍ମକ ମନୋଭାବ, ଶରୀରରେ କେଶବୃଦ୍ଧି, ମାଂସପେଶୀର ବସ୍ତୁତ୍ୱ ବୃଦ୍ଧି ଇତ୍ୟାଦି ଘଟେ। ଅନ୍ୟପକ୍ଷରେ ଏହା କମ୍ ହେଲେ ପୁରୁଷଠାରେ ଆଦ୍ୟ ଯୌବନକାଳରେ ସ୍ବର କମ୍ ଗମ୍ଭୀର ହୁଏ, ଉଚ୍ଚତା କମ୍ ବଢ଼େ। ସାଧାରଣ ଶାରୀରିକ ବଳ ଓ ସହନଶୀଳତା କମିଯାଏ। ପ୍ରାପ୍ତ ବୟସ୍କଙ୍କଠାରେ ମାଂଶପେଶୀର ବସ୍ତୁତ୍ୱ ହାନି ଏବଂ ଚର୍ବି ବୃଦ୍ଧି ଘଟେ, ଶରୀରରୁ କେଶ କ୍ଷୟ ହୁଏ। ମାନସିକ ଚାପ ପଡେ, ଯୌନ କାମନା ହ୍ରସ ପାଏ। ହାଡ଼ ଦୁର୍ବଳ ହୋଇପଡେ, କୌଣସି କଥାରେ ମନୋନିବେଶ କରିହୁଏନାହିଁ ଏବଂ ସ୍ମୃତିଶକ୍ତି ନିମ୍ନଗାମୀ ହୁଏ। ଟେଷ୍ଟୋଷ୍ଟେରୋନ୍ ପୁନଃ ସ୍ଥାପନ ମାଧ୍ୟମରେ ଏହାର ଚିକିତ୍ସା କରାଯାଏ। ନାରୀଙ୍କଠାରେ ଏ ହର୍ମୋନ୍ କମ୍ ହେବାର ଲକ୍ଷଣ ବିଶେଷ ଭାବେ ପ୍ରକଟିତ ହୁଏନାହିଁ। ଏହାର କାରଣ ହେଲା ଯେ ସେମାନଙ୍କ ମୁଖ୍ୟ ଯୌନ ହର୍ମୋନ୍ ହେଉଛି ଏଷ୍ଟ୍ରୋଜେନ।
ସାଧାରଣତଃ ଟେଷ୍ଟୋଷ୍ଟେରୋନ୍କୁ ପୁରୁଷଙ୍କଠାରେ କ୍ରୋଧ, ଅହଂକାର ଏବଂ ଆକ୍ରମଣାତ୍ମକ ମନୋଭାବ ବୃଦ୍ଧିକାରୀ ବୋଲି ବିଚାର କରାଯାଏ। ପୁନଶ୍ଚ ଏହାର ଭାବପ୍ରବଣତା ସହ ସମ୍ପୃକ୍ତ ମସ୍ତିଷ୍କର ଆମିଗ୍ଡାଲା ଅଂଶ ସହିତ ସମ୍ପର୍କ ଥିବାରୁ ଏହା ସାହସ, ପ୍ରତିଯୋଗିତା ମନୋବୃତ୍ତି ଆଦି ବଢ଼ାଇବାର ଦେଖାଯାଏ। ତେବେ ଏହା ଅଧିକ ହୋଇଗଲେ ଉଚ୍ଚ ରକ୍ତଚାପ, ଯକୃତ ଉପରେ ଚାପ ଏବଂ ଅନିଶ୍ଚିତ ଆଚରଣ ପ୍ରଦର୍ଶନ କରାଏ।
ଆମେରିକାର ପ୍ରତିରକ୍ଷା ସଚିବ ସୈନିକଙ୍କଠାରେ ଏହି ହର୍ମୋନ୍ ମାତ୍ରା ପରୀକ୍ଷା କରିବା ଲାଗି ଚାହୁଁଛନ୍ତି। ତଦନୁଯାୟୀ କୌଣସି ୩୦ରୁ ଅଧିକ ବର୍ଷୀୟ ସୈନିକଙ୍କଠାରେ ଏହା କମ୍ ହେବାର ଦେଖାଗଲେ ସେମାନଙ୍କୁ ହର୍ମୋନ୍ ପୁନଃସ୍ଥାପନ କରାଯିବା ରହିଛି ତାଙ୍କର ଲକ୍ଷ୍ୟ। ତାହା ହେଲେ ସେମାନଙ୍କ ଶରୀର ଶକ୍ତିଶାଳୀ ହେବ। ମନ ଆକ୍ରମଣାତ୍ମକ ହେବ। ସାହସ ବୃଦ୍ଧି ପାଇବ ଏବଂ ସେମାନେ ଯୁଦ୍ଧରେ ଜିଣିବା ପାଇଁ ଉତ୍ସାହିତ ହେବେ। ତେବେ ଏସବୁ କରିବା ଅପେକ୍ଷା ଯୁଦ୍ଧରୁ ବିରତି ନେବା ବିଶ୍ୱର ପାଇଁ ମଙ୍ଗଳକର ହେବ।
ପ୍ର. ରମେଶ ଚନ୍ଦ୍ର ପରିଡ଼ା
ମୋ: ୯୯୩୭୩୦୧୪୬୦