ନାଲି ଚାଉଳ ବଣ୍ଟନକୁ ନେଇ  ଉତ୍ତେଜନା

ତିହିଡ଼ି,୧୩ା୮(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧା ପଞ୍ଚାୟତରେ ରାଶନ କାର୍ଡ ହିତାଧିକାରୀମାନଙ୍କୁ ୩ ମାସ ପରିବର୍ତ୍ତେ ୨ମାସର ଏବଂ ନାଲି ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ରବିବାର ହିତାଧିକାରୀମାନେ ପଞ୍ଚାୟତ ଗୋଦାମକୁ ଘେରାଉ କରିଥିଲେ।
ପ୍ରକାଶ ଯେ, ପଞ୍ଚାୟତରେ ୧୬ଟି ୱାର୍ଡର ହିତାଧିକାରୀଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କ ଦାୟିତ୍ୱରେ ଚାଉଳ ବଣ୍ଟନ କରାଯାଉଛି। ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ପଞ୍ଚାୟତ ଗୋଦାମରେ ଶନିବାର ଚାଉଳ ବଣ୍ଟନ ଆରମ୍ଭ ହୋଇଥିଲା। ରବିବାର ହିତାଧିକାରୀମାନେ ଚାଉଳ ଆଣିବାକୁ ଯିବା ପରେ ସେମାନଙ୍କୁ ୩ ମାସ ପରିବର୍ତ୍ତେ ୨ମାସର ପୁଣି ନାଲି ରଙ୍ଗର ଚାଉଳ ଦିଆଯାଇଥିଲା। ୩ ମାସର ଟୋକନ କଟାଯାଇଥିଲେ ବି ୨ମାସର ଚାଉଳ ଦିଆଯିବାରୁ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରି ହୋହଲ୍ଲା କରିଥିଲେ।  ସଞ୍ଜୟ ଦଳେଇ, ରଞ୍ଜନ ଗିରି, ସତ୍ୟଭାମା ନାୟକ, ମିଲି ଦାସ, ଶାନ୍ତିଲତା ନାୟକ, ମିନତି ଦାସ, ରଶ୍ମିରଞ୍ଜନ ରାଉତ, ନିରଞ୍ଜନ ନାୟକ, କୈଳାସ ପାଳ, ଅଜୟ ପଣ୍ଡା, ଦେବେନ୍ଦ୍ର ପଲେଇ, ରାଧାକାନ୍ତ ଦଳେଇ, କନକଲତା ଦାସ, ବିଜୟ କୁମାର ଦାସ ପ୍ରମୁଖ ହିତାଧିକାରୀ ଗୋଦାମ ଘେରାଉ କରିଥିଲେ। ପରେ ସେମାନଙ୍କୁ ୩ ମାସର ଭଲ ଚାଉଳ ବଣ୍ଟନ କରାଯାଇଥିବା ଜଣାପଡିଛି।
ଏ ସମ୍ପର୍କରେ ପିଇଓ ମନୋରଞ୍ଜନ ଦଳେଇ କହିଛନ୍ତି, ଏଥର କୋଟାରେ ଆବଶ୍ୟକତାଠାରୁ ୨୪୮ କୁଇଣ୍ଟାଲ କମ୍‌ ଚାଉଳ ମିଳିଛି। ପଞ୍ଚାୟତରେ ଚାଉଳ ଷ୍ଟକ ଥିବା ମେଶିନ ଗତ ତ୍ରୁଟି ଯୋଗୁ ଦର୍ଶାଉଥିଲେ ମଧ୍ୟ ବାସ୍ତବରେ ଚାଉଳ ନ ଥିବାରୁ ଏପରି ସମସ୍ୟା ଉପୁଜିଛି। ସରପଞ୍ଚ ଯଶୋଦା ମଲ୍ଲିକ କହିଥିଲେ, ସେ ପଞ୍ଚାୟତର ଦାୟିତ୍ୱ ନେବାବେଳେ ୪୨୫ କୁଇଣ୍ଟାଲ ଚାଉଳ କମ୍‌ ଥିଲା। ସେ ଏହି ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ, ବ୍ଲକ ଯୋଗାଣ ନିରୀକ୍ଷକ ପ୍ରମୁଖଙ୍କୁ ଜଣାଇଥିଲେ। ସେବେଠାରୁ ଏଭଳି ସମସ୍ୟା ଲାଗି ରହିଛି। ମାତ୍ର ଅଭାବ ପୂରଣ ହୋଇ ନ ଥିବାରୁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି।