ବେଲବୋର୍ନ,୬ା୩: ଦୁଇ ଥରର ଗ୍ରାଣ୍ଡସ୍ଲାମ ଖେଳାଳି ଓ ୩ ଥରର ଡେଭିସ କପ ବିଜୟୀ ଦଳର ସଦସ୍ୟ ଫ୍ରେଡ ଷ୍ଟୋଲଙ୍କ ପରଲୋକ ଘଟିଛି। ଏ ନେଇ ଟେନିସ ଅଷ୍ଟ୍ରେଲିଆ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଖଳାଳି ଭାବେ ସଫଳ କ୍ୟାରିୟର ଶେଷ କରିବା ପରେ ସେ କୋଚ ଓ ଅଷ୍ଟ୍ରେଲିଆର ନାଇନ ଚ୍ୟାନେଲ ଲାଗି କମେଣ୍ଟେଟର ଦାୟିତ୍ୱ ତୁଲାଇଥିଲେ।
ଟେନିସ ଅଷ୍ଟ୍ରେଲିଆର ସିଇଓ କ୍ରେଗ ଟିଲେ ତାଙ୍କ ସମ୍ପର୍କରେ କହିଛନ୍ତି ଯେ, ଟେନିସ ଉପରେ ତାଙ୍କର ପ୍ରଭାବ ସର୍ବଦା ମନେ ରହିବ। ତାଙ୍କ ଅବଦାନ ଦେଖିବାକୁ ସୌଭାଗ୍ୟ ପାଇଥିବା ଲୋକେ ତାଙ୍କୁ ସର୍ବଦା ମନେ ରଖିବେ। ଅଷ୍ଟ୍ରେଲିଆ ଡେଭିସ କପ ଦଳର ଜଣେ ଷ୍ଟାର ସଦସ୍ୟ ଭାବେ ଫ୍ରେଡ ପେସାଦାର ଟେନିସରୁ ଅବସର ନେବା ପରେ ଜଣେ କୋଚ ଓ କମେଣ୍ଟେଟର ଭାବେ ଟେନିସ ସହ ଯୋଡ଼ି ହୋଇ ରହିଥିଲେ।
ଷ୍ଟୋଲ ତାଙ୍କ କ୍ୟାରିୟରର ପ୍ରଥମ ୫ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫାଇନାଲରେ ପରାସ୍ତ ହୋଇଥିଲେ। ଏଥିରୁ ୪ ଥର ତାଙ୍କୁ ନିଜ ଦେଶର ରୟ ଏମରସନଙ୍କ ପରାସ୍ତ କରିଥିଲେ। ସେ ଟୋନି ରୋଚେଙ୍କୁ ପରାସ୍ତ କରି ୧୯୬୫ ଫ୍ରେଞ୍ଚ ଓପନ ଜିତିଥିଲେ। ଏପରିକି ସେ ୟୁଏସ ଓପନ ଟାଇଟଲ ଜିତିବା ସହ ଓ୍ବାଲର୍ଡ ର଼୍ୟାଙ୍କିଙ୍ଗ୍ସରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ।


