ଚାକିରି ହୋଇଛି କହି ମିଠାରେ ନିଶା ଔଷଧ ଦେଲେ ଭଡ଼ାଟିଆ: ମାଲିକଙ୍କ ଘରୁ ଲୁଟିନେଲେ ୩୫ ଲକ୍ଷର ସୁନାଗହଣା

ମାଲକାନଗିରି,୨।୩(ଡି.ଏନ୍‌.ଏ.): ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ମିଠାରେ ନିଶା ମିଶାଇ ଖାଇବାକୁ ଦେଇ ଅତି ସହଜରେ ସୁନାରୀଙ୍କ ଘରୁ କଳାକନା ବୁଲାଇଲେ ଭଡାରେ ରହୁଥିବା ଲୁଟେରା। ୩୫ ଲକ୍ଷ ଟଙ୍କାର ସୁନା ଗହଣା ସହ ଦୁଇ ଲକ୍ଷ ଟଙ୍କା ଧରି ଫେରାର୍‌ ହୋଇଯାଇଛନ୍ତି ଲୁଟେରା। ତେବେ ଏହି ଲୁଟ୍‌ ପାଇଁ ପ୍ରାୟ ୩ ମାସ ଧରି ବ୍ଲୁ ପ୍ରିଣ୍ଟ୍‌ ତିଆରି କରିଥିଲେ ଲୁଟେରା।
ଗତ ୩ ମାସ ପୂର୍ବେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳର ଜଗଦିଶ୍‌ ନାମକ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ମାଲକାନଗିରିର ‘ପ୍ରସାଦ ଜ୍ୱେଲର୍ସ’ର ମାଲିକ ସୁବାଷ ରାଜାରାମ ପାଟିଲଙ୍କ ଘରେ ଭଡାରେ ରହୁଥିଲେ। ସେହିଦିନ ଠାରୁ ଜଗଦିଶ୍‌ ସୁବାଷଙ୍କ ଘରୁ ଲୁଟ୍‌ କରିବା ପାଇଁ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିଲେ। ତେବେ ସୋମବାର ରାତିରେ ସୁବାଷ ଦୋକାନ ବନ୍ଦକରି ସମସ୍ତ ସୁନା ଗହଣା ଆଣି ଘରେ ରଖିଥିଲେ। ଏହାର କିଛି ସମୟ ପରେ ଜଗଦିଶ୍‌ ମୋର ଚାକିରି ହୋଇଯାଇଥିବା କହି ସୁବାଷ ଓ ତାଙ୍କ ପରିବାର ବର୍ଗଙ୍କୁ ମିଠା ଦେବା ସହ ଆଖପାଖ ଅଞ୍ଚଳର ବହୁ ଲୋକଙ୍କୁ ମିଠା ଦେଇଥିଲେ। ମିଠା ଖାଇବା କ୍ଷଣି ସମସ୍ତେ ଅଚେତ ହୋଇପଡିଥିଲେ। ଏହାର ସୁଯୋଗ ନେଇ ଜଗଦିଶ୍‌ ଏକ ଗ୍ୟାସ୍‌ କଟର ସାହାଯ୍ୟରେ ସୁବାଷଙ୍କ ଝରକାର ଲୁହାଗୁଡିକୁ କାଟି ଘରୁ ସମସ୍ତ ସୁନା ଗହଣା ସହ ଆଲମାରି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସକାଳୁ ଉଠି ସୁବାଷ ଜାଣିବା ପରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ। ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତଜାରି ରଖିଛି। ତେବେ ଉକ୍ତ ଲୁଟେରା ସିସିଟିଭିକୁ ମଧ୍ୟ କାଢ଼ି ନେଇଯାଇଥିବା ଜଣାପଡିଛି।