ଖସୁଛି ତାପମାତ୍ରା, ବୃଦ୍ଧି ପାଉଛି ଶୀତ

କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ତାପମାତ୍ରା ହ୍ରାସ ପାଉଥିବାରୁ ଥଣ୍ଡା କ୍ରମଶଃ ବୃଦ୍ଧି ପାଉଛି। ବିଶେଷକରି ରାତିରେ ଥଣ୍ଡାର ପ୍ରକୋପ ଅଧିକ ରହୁଛି। ୩ ଦିନ ପରେ ତାପମାତ୍ରା ୧୦ ଡିଗ୍ରୀକୁ ପୁଣି ଥରେ ଖସିଛି। ରାତି ୧୦ଟା ପରେ ରାସ୍ତାଘାଟ ଶୂନଶାନ୍‌ ହୋଇପଡୁଛି। ଅନେକ ଶୀତର ଆଗମନକୁ ସ୍ବାଗତ କରି ମଜା ଉଠାଉଥିବା ବେଳେ ଗରିବ ଲୋକମାନେ ଶୀତ ଯୋଗୁ ଚିନ୍ତାରେ ରହୁଛନ୍ତି। ଗ୍ରାମାଞ୍ଚଳ ତଥା ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ସନ୍ଧ୍ୟା ହେଲେ ଲୋକମାନେ ପଦାକୁ ବାହାରୁନାହାନ୍ତି। ମାଟିଘରେ ରହୁଥିବା ଗରିବ ବନବାସୀମାନେ ଥଣ୍ଡାର ପ୍ରକୋପରେ ଭଲ ଭାବରେ ଶୋଇ ପାରୁନାହାନ୍ତି। ଶୀତରୁ ମୁକ୍ତି ପାଇବା ପାଇଁ ନିଆଁ ଜଳାଇ ବସି ରହୁଛନ୍ତି। ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ଯୋଡ଼ା, ଝୁମ୍ପୁରା, ପାଟଣା, ଚମ୍ପୁଆ ଆଦି ବ୍ଲକର ଦୁର୍ଗମ ଅଞ୍ଚଳରେ ଥଣ୍ଡା ଅଧିକ ଅନୁଭୂତ ହେଉଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ଦେବା ସହ ଗରିବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି। ଗରିବମାନେ ଅଧିକ ଅସୁବିଧା ଭୋଗୁଛନ୍ତି ବୋଲି ବାଂଶପାଳ ବ୍ଲକ ଅଞ୍ଚଳର ସାମାଜିକ କର୍ମୀ ତଥା ଆଇନଜୀବୀ ଦୈତାରୀ ଆପଟ କହିଛନ୍ତି। କେତେକ ସ୍ବେଚ୍ଛାସେବୀ ଓ ସଂଗଠନ ଗରିବ ଲୋକଙ୍କୁ ଶୀତବସ୍ତ୍ର ଓ କମ୍ବଳ ଆଦି ବଣ୍ଟନ କରୁଥିଲେ ହେଁ ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।