ତେଲେଙ୍ଗାନା ଗୃହମନ୍ତ୍ରୀଙ୍କୁ କରୋନା ସଂକ୍ରମଣ

ହାଇଦ୍ରାବାଦ୍‌, ୨୯।୬: ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲ୍ଲୀଙ୍କୁ କରୋନା ସଂକ୍ରମଣ ହୋଇଛି। ରବିବାର ସନ୍ଧ୍ୟାରେ ତାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଚିକିତ୍ସା ଲାଗି ତାଙ୍କୁ ଜୁବଲି ହିଲ୍ସ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩ ଦିନ ତଳେ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ଅଲ୍ଲୀ ସୂଚନା ଦେଇଛନ୍ତି। ତାଙ୍କଠାରେ କରୋନାର ଲକ୍ଷଣ ପ୍ରକାଶ ପାଇବାରୁ ଏଭଳି କରାଯାଇଥିଲା। ଗତ ବୁଧବାର ୬୭ ବର୍ଷ ବୟସ୍କ ଅଲ୍ଲୀଙ୍କର ୫ ଜଣ ସୁରକ୍ଷାକର୍ମୀଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଏହାପରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ସେମାନଙ୍କ ସମ୍ପର୍କରେ ଆସିଥିବା କର୍ମଚାରୀଙ୍କୁ ଆଇସୋଲେଶନ୍‌ରେ ରଖାଯାଇଛି। ଅଲ୍ଲୀ ଏହି ସମୟ ମଧ୍ୟରେ ଗୋସାମହଲ ପୋଲିସ ଷ୍ଟାଡ଼ିୟମ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ତାଙ୍କ ସହିତ ପୋଲିସ ମହାନିର୍ଦ୍ଦେଶକ ଏମ୍‌. ମହେନ୍ଦ୍ର ରେଡ୍ଡୀ, ହାଇଦ୍ରାବାଦ୍‌ ପୋଲିସ କମିଶନର ଅଞ୍ଜନୀ କୁମାର, ଅତିରିକ୍ତ ସିପି ଅନୀଲ କୁମାର ପ୍ରମୁଖ ମଧ୍ୟ ଥିଲେ। ଏବେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।

Share