କୋହଲିଙ୍କୁ ହରାଇଲେ ଚହଲ

ଦୁବାଇ, ୧୭।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ଗୋଟିଏ ଦିନ ବାକି ରହିଛି। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମଧ୍ୟରେ ସେପ୍ଟେମ୍ବର ୧୯ରେ ଉଦ୍‌ଘାଟନୀ ମୁକାବିଲା ଖେଳାଯିବ। ତେବେ ଏଥିପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟିମ୍‌ କୋହଲି ଓ ଟିମ୍‌ ଚହଲ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଟିମ୍‌ ଚହଲ ଟିମ୍‌ କୋହଲିକୁ ପରାସ୍ତ କରିଛି।
ବ୍ୟାଟିଂ କରି ଟିମ୍‌ ଚହଲ ୨୦ ଓଭରରେ ୧୨୫ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଏବି ଡି ଭିଲର୍ସ ୩୩ ବଲରୁ ୪୩ ରନ୍‌ ସଂଗ୍ରହ କରିଥିଲେ। ଟିମ୍‌ କୋହଲି ପକ୍ଷରୁ ସ୍ପିନର ଓ୍ବାଶିଂଟନ ସୁନ୍ଦର ୪ ଓଭରରେ ୧୧ ରନ୍‌ ବ୍ୟୟ କରି ୨ଟି ଉଇକେଟ୍‌ ନେଇଥିଲେ। ଡେଲ୍‌ ଷ୍ଟେଇନ୍‌ ମଧ୍ୟ ୪ ଓଭର ବୋଲିଂ କରିଥିଲେ। ଜବାବରେ ୧୨୬ ରନର ପିଛା କରିଥିବା ଟିମ୍‌ କୋହଲି ସ୍ପିନରଙ୍କୁ ସହାୟତା କରୁଥିବା ଏହି ପିଚ୍‌ରେ ଲକ୍ଷ୍ୟ ହାସଲ କରିପାରି ନ ଥିଲା। ବିଜୟୀ ଟିମ୍‌ ଚହଲ ପକ୍ଷରୁ ବାମହାତୀ ସ୍ପିନର ଶାହବାଜ୍‌ ଅହମ୍ମଦ ୪ ଓଭରରେ ୧୩ ରନ୍‌ ବ୍ୟୟ କରି ୩ଟି ଉଇକେଟ୍‌ ନେଇଥିଲେ।

Share