ନୂଆଦିଲ୍ଲୀ,୧୩।୩: ଟି-୨୦ ବିଶ୍ୱକପ୍ ବିଜୟ ପରେ ଟିମ୍ ଇଣ୍ଡିଆର ବ୍ୟସ୍ତ କାର୍ଯ୍ୟସୂଚୀ ରହିଛି। ରିପୋର୍ଟ ଅନୁସାରେ, ଭାରତୀୟ ଦଳ ଶ୍ରୀଲଙ୍କା ଏବଂ ଆୟର୍ଲାଣ୍ଡ ଗସ୍ତ କରି ଟି-୨୦ ସିରିଜ ଖେଳିବାର ଯୋଜନା ରଖିଛି।
ସମ୍ପ୍ରତି ଭାରତୀୟ ଦଳ ICC ପୁରୁଷ T20 ବିଶ୍ୱକପ୍୍ 2026 ଜିତି ବିଶ୍ୱରେ ନିଜ ଦକ୍ଷତା ପ୍ରତିପାଦନ କରିଛି। ବିଶ୍ୱ ଚାମ୍ପିୟନ ହେବା ପରେ, ଭାରତୀୟ ଦଳ ଆଗାମୀ ବର୍ଷ ମଧ୍ୟରେ ଅନେକ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ ହେଉଛି। ସୂଚନା ମୁତାବକ, ଟିମ୍ ଇଣ୍ଡିଆ ଆଗାମୀ ମାସରେ ଶ୍ରୀଲଙ୍କା ଏବଂ ଆୟର୍ଲାଣ୍ଡ ଗସ୍ତ କରିପାରେ। ସେଠାରେ T20 ସିରିଜ ଅନୁଷ୍ଠିତ ହେବ।
ମିଡିଆ ରିପୋର୍ଟ ଅନୁଯାୟୀ, ବିସିସିଆଇ ଶ୍ରୀଲଙ୍କା ଗସ୍ତ ସୂଚୀରେ କିଛି ପରିବର୍ତ୍ତନ କରିବା ବିଷୟରେ ବିଚାର କରୁଛି। ବର୍ତ୍ତମାନ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ଯୋଜନା କରାଯାଇଛି, ଯାହା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଅଂଶ ହେବ। ଏପରିକି ଟେଷ୍ଟ ମ୍ୟାଚ୍ ପୂର୍ବରୁ ୩ଟି ଟି-୨୦ ମ୍ୟାଚ ଖେଳାଯିବ। ଯଦି ଏହା ହୁଏ, ତେବେ ଭାରତୀୟ ଦଳର ଗସ୍ତ ଟି-୨୦ ମ୍ୟାଚ୍ ସହିତ ଆରମ୍ଭ ହୋଇପାରେ।
ଅନ୍ୟପକ୍ଷେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ପାଣ୍ଠି ସଂଗ୍ରହ କରାଯିବ ବୋଲି
ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ପ୍ରସ୍ତାବ ଆସିଛି। ଗତ ବର୍ଷ ଘୂର୍ଣ୍ଣିଝଡ଼ରେ ଶ୍ରୀଲଙ୍କାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା। ଏନେଇ ରିଲିଫ ପ୍ରୟାସ ପାଇଁ ପାଣ୍ଠି ସଂଗ୍ରହ କରିବା ପାଇଁ ଅତିରିକ୍ତ ଟି-୨୦ ମ୍ୟାଚ୍ ଆୟୋଜନ କରିବାକୁ ଯୋଜନା କରାଯାଇଛି।

