Categories: ଖେଳ

ତଥାପି ଖାତା ଖୋଲି ପାରିଲା ନାହିଁ ଟିମ୍‌ ଇଣ୍ଡିଆ

କେପ୍‌ ଟାଉନ,୨୩।୧: ୨୮୮ ରନ୍‌ର ବିଜୟଲକ୍ଷ୍ୟ ପିଛା କରୁଥିବା ଭାରତ ୪୦ ସୁଦ୍ଧା ୨୧୦ ରନ୍‌ ମଧ୍ୟରେ ୬ ଉଇକେଟ ହରାଇ ସାରିଥିଲା। ବିଜୟ ଆଶା ନ ଥିଲା। କିନ୍ତୁ ବିଶ୍ୱାସହରା ନ ହୋଇ ଖେଳିଥିଲେ ଦୀପକ ଚହର। ୩୪ ବଲରେ ୫୪ ରନ୍‌ର ପାଳି ଖେଳି ସବୁ କିଛି ବଦଳି ରଖି ଦେଇଥିଲେ। ତଥାପି ବିଜୟ ଲକ୍ଷ୍ୟଠାରୁ ୫ ରନ୍‌ ଦୂରରେ ରହିଯାଇଥିଲା। ଫଳରେ ସମ୍ମାନ ବଞ୍ଚାଇବାରେ ବିଫଳ ହୋଇଛି ଟିମ୍‌ ଇଣ୍ଡିଆ। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଦକ୍ଷିଣ ଆଫ୍ରିକା କ୍ଲିନ ସୁଇପ୍‌ ହାସଲ କରିଛି। ୨୦୨୨ରେ ଏପର୍ଯ୍ୟନ୍ତ ବିଜୟ ଖାତା ଖୋଲିବାରେ ସଫଳ ହୋଇ ନାହିଁ ଭାରତୀୟ ଦଳ।

୨୮୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ କ୍ୟାପଟେନ ଲୋକେଶ ରାହୁଲ (୯)ଙ୍କ ଉଇକେଟ ହରାଇଥିଲା। ଏହାପରେ ଶିଖର ଧାଓ୍ବନ (୬୧ ରନ୍‌, ୫ ଚୌକା ଓ ୧ ଛକା) ଓ ବିରାଟ କୋହଲି (୬୫ ରନ୍‌, ୫ ଚୌକା) ଦ୍ୱିତୀୟ ଉଇକେଟ ପାଇଁ ୯୮ ରନ୍‌ ଯୋଡ଼ିଥିଲେ। କିନ୍ତୁ କ୍ରମାଗତ ଉଇକେଟ ପତନ କାରଣରୁ ୪୦ ଓଭର ସୁଦ୍ଧା ଭାରତ ୨୧୦ ରନ୍‌ ମଧ୍ୟରେ ୬ ଉଇକେଟ ହରାଇ ସମ୍ପୂର୍ଣ୍ଣ ସଙ୍କଟରେ ପଡ଼ିଯାଇଥିଲା। ଶ୍ରେୟାସ ଆୟାର (୨୬), ସୂର୍ଯ୍ୟକୁମାର ଯାଦବ (୩୯) ଆଉଟ୍‌ ହୋଇ ସାରିଥିଲେ। ଶେଷକୁ ୩୪ ବଲରେ ୫ ଚୌକା ଓ ୨ ଛକା ସହ ଦୀକକ (୫୪) ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିଲେ। ହେଲେ ଏହା ଯଥେଷ୍ଟ ସାବ୍ୟସ୍ତ ହୋଇ ନ ଥିଲା। ଭାରତୀୟ ଦଳ ୪୯.୨ ଓଭରରେ ୨୮୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ପୂର୍ବରୁ ଦୀପକ ଆରମ୍ଭରୁ ଦୁଇ ଉଇକେଟ ନେଇ ଘରୋଇ ଦଳକୁ ଚାପରେ ପକାଇ ଦେଇଥିଲେ। କିନ୍ତୁ କୁଇଣ୍ଟନ ଡି’ କକ୍‌ (୧୨୪ ରନ୍‌, ୧୨ ଚୌକା ଓ ୨ ଛକା)ଙ୍କ ଶତକ ଏବଂ ରାସି ଭାନ ଡର ଡୁସେନ (୫୨ ରନ୍‌, ୪ ଚୌକା ଓ ୧ ଛକା)ଙ୍କ ଅର୍ଦ୍ଧଶତକ ଯୋଗୁ ଦକ୍ଷିଣ ଆଫ୍ରିକା ୨୮୭ ରନ୍‌ରେ ପହଞ୍ଚି ପାରିଥିଲା। ଭ୍ରମଣକାରୀ ଦଳ ପାଇଁ ପ୍ରସିଦ୍ଧ କ୍ରିଷ୍ଣା ୩ ଉଇକେଟ ନେଇଥିବା ବେଳେ ଦୀପକ ଚହର ଓ ଯଶପ୍ରୀତ ବୁମରା ୨ ଲେଖାଏ ଉଇକେଟ ନେଇଥିଲେ।

Share