ଭଙ୍ଗା ଗୃହ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

ବାଲିଗୁଡା,୪ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ)ସରକାର ସଭିଏ ପଢନ୍ତୁ ଓ ସଭିଏ ବଢନ୍ତୁ ନାରା ଦେଇ ଶିକ୍ଷାକୁ ସାର୍ବଜନୀନ କରି ରାଜକୋଷରୁ କୋଟି କୋଟି ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ଭଙ୍ଗା ଶ୍ରେଣୀ ଗୃହରେ ଚାଲିଛି ଭବିଷ୍ୟତ ଗଢା। ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକରେ। ସିନ୍ଦ୍ରିଗାଁ ଗ୍ରାମପଞ୍ଚାୟତର ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ୪୩ ବର୍ଷରେ ପଦାର୍ପଣ କରିଥିବା ବେଳେ ଶ୍ରେଣୀ ଗୃହ ଭଗ୍ନ ଅବସ୍ଥାରେ ରହିଛି। ବିପଦପୂର୍ଣ୍ଣ ଭାବେ ଶ୍ରେଣୀ ଗୃହ ଥିବାରୁ ଗୋଟିଏ କୋଠରିରେ ପ୍ରଥମରୁ ପଞ୍ଚମ ଯାଏ ପାଞ୍ଚଟି ଶ୍ରେଣୀକୁ ପଢ଼ାନ୍ତି ଦୁଇ ଶିକ୍ଷକ। ୧୯୮୦ରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ସର୍ବମୋଟ ୨୩ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ସ୍ଥାନ ଅଭାବରୁ ଖରା ବର୍ଷା ଶୀତଦିନେ ବାରଣ୍ଡାରେ ବାଧ୍ୟ ହୋଇ ପାଠପଢା ଚାଲିଛି ବୋଲି ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ବେହେରା କହିଛନ୍ତି।
ତଳେ ସେହି ଗ୍ରାମପଞ୍ଚାୟତର କିଲୁପଡ଼ା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ୍‌ ଛାତ ଭୁଶୁଡ଼ି ଯିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ଛାତ୍ରୀଛାତ୍ର। ତଥାପି ବ୍ଲକ୍‌ ପ୍ରଶାସନ ବିଭାଗୀୟ ଅଧିକାରୀଙ୍କ ଚେତା ପଶୁନି। କିଲୁପଡ଼ା ସ୍କୁଲ ଛାତ ଭୁଶୁଡ଼ିବା ଘଟଣା ପରେ ଭୟରେ ଅଭିଭାବକ ପିଲାଙ୍କୁ ସ୍କୁଲକୁ ଛାଡ଼ୁ ନାହାନ୍ତି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀ ବ୍ଲକ ପ୍ରଶାସନକୁ ବହୁବାର ଲିଖିତ ଅଭିଯୋଗ କରିଥିଲେ ବି କାହାର ନିଘା ନାହିଁ ବୋଲି ସହକାରୀ ଶିକ୍ଷକ ସୁରେଶ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି। ସେହିଭଳି ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ଭଙ୍ଗା ଘରେ ଚାଲିଛି ବୋଲି ପାଚିକା ସିନନ୍ତୀ ମଲିକ କହିଛନ୍ତି। ନଳକୂପ ଅଚଳ ଅବସ୍ଥାରେ ରହିଛି, ଫଳରେ ଚୁଆ ପାଣିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନଭୋଜନ। ପିଲାମାନେ ବାଧ୍ୟ ହୋଇ ଚୁଆପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରନ୍ତି ବୋଲି ଅଭିଭାବିକା ସୁଶୀଳା ମଲିକ କହିଛନ୍ତି। ପ୍ରଶାସନ କ’ଣ ଆଉ ଏକ ଦୁର୍ଘଟଣାକୁ ଅପେକ୍ଷା କରିଛି କି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି। ତେବେ ପରତ୍ୟକ୍ତ ସ୍କୁଲ୍‌ ଘରକୁ ଭାଙ୍ଗି ପ୍ରଶାସନ କେବେ ନୂତନ କୋଠା ନିର୍ମାଣ କରୁଛି ତାହା ଅଞ୍ଚଳବାସୀ ତଥା ଅଭିଭାବକ ଅପେକ୍ଷା କରିଛନ୍ତି।