କଟକ ସଦର,୧୭ା୧୦(ସୁଶାନ୍ତ କୁମାର ଜେନା): ଦଶହରା ପାଇଁ ଶନିବାରଠାରୁ ସମସ୍ତ ଓଡ଼ିଶା ସରକାରଙ୍କ କାର୍ଯ୍ୟାଳୟ ଛୁଟି ହୋଇଯାଇଛି। ଛୁଟି ପୂର୍ବରୁ ରାଜ୍ୟ ଅର୍ଥ ବିଭାଗର ନିର୍ଦ୍ଦେଶ କ୍ରମେ ସମସ୍ତ କର୍ମଚାରୀଙ୍କୁ ସେପ୍ଟେମ୍ବର ମାସର ଦରମା ସହ ପୂଜା ଅଗ୍ରୀମ ପ୍ରଦାନ କରାଯାଇଛି। ମାତ୍ର କଟକ ସଦର ବ୍ଲକ ଶିକ୍ଷାଧିକାରୀ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଏକ୍ସ କ୍ୟାଡ଼ର ଶିକ୍ଷୟିତ୍ରୀ ଓ ଶିକ୍ଷକ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି। ଦରମା ଦେବାକୁ କୌଣସି ବ୍ୟବସ୍ଥା ବ୍ଲକ ଶିକ୍ଷାଧିକାରୀ ପ୍ରିୟଙ୍କା ବେହେରା କରିନାହାନ୍ତି ବୋଲି ଅଭିଯୋଗ ହୋଇଛି। କଟକ ଜିଲାର ଡମପଡା, ଟାଙ୍ଗୀ-ଚୌଦ୍ୱାର ଓ ନିଶ୍ଚିନ୍ତକୋଇଲି ବ୍ଲକର ଏକ୍ସ କ୍ୟାଡର ଶିକ୍ଷକମାନେ ସେମାନଙ୍କର ଦରମା ପାଇ ପାରିଛନ୍ତି। ମାତ୍ର ଜିଲାର ଏକ ନମ୍ବର ବ୍ଲକ କଟକ ସଦର ଦରମା ଦେବାରେ ସମର୍ଥ ହୋଇ ନାହାନ୍ତି। ଏନେଇ ବ୍ଲକ ଶିକ୍ଷାଧିକାରୀ ବେହେରାଙ୍କୁ ପଚାରିବାରୁ ଆକାଉଣ୍ଟାଣ୍ଟ୍ ଧର୍ମ ଘଟରେ ଥିବାରୁ ଦରମା ବିଲ୍ ହୋଇପାରିଲା ନାହିଁ ବୋଲି ସଫେଇ ଦେଇଛନ୍ତି। ଯାହାକୁ ଶିକ୍ଷକମାନେ ଗ୍ରହଣ କରି ପାରୁନାହାନ୍ତି।

