ଅମରପାଲି,୧୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟାକୁ ନେଇ ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଛାତ୍ରୀଛାତ୍ର। ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକଙ୍କ ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟରେ ୯ ଜଣ ଶିକ୍ଷକ ରହିବା ଆବଶ୍ୟକ। ମାତ୍ର ଏବେ ଉକ୍ତ ସ୍କୁଲରେ କେବଳ ୪ ଜଣ ଶିକ୍ଷକ ଅଛନ୍ତି। ସ୍କୁଲରେ ବାଲବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯ଟି ଶ୍ରେଣୀରେ ସମୁଦାୟ ୨୩୬ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଫଳରେ ଏତେ ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ପାଇଁ ୪ ଜଣ ଶିକ୍ଷକଙ୍କୁ ସମସ୍ୟା ହେଉଛି। ଫଳରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ଛାତ୍ରୀଛାତ୍ର । ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ଥିଲେ ହେଁ କହି ଶୁଣୁନାହାନ୍ତି। ଏହାର ପ୍ରତିବାଦ କରି ସ୍କୁଲରେ ତାଲା ଦେଇ ଧାରଣା ଦେଇଛନ୍ତି ଅସନ୍ତୋଷ ଅଭିଭାବକ ଓ ଛାତ୍ରୀଛାତ୍ର। ଶିକ୍ଷକ ସମସ୍ୟାର ସମାଧାନ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକମାନେ। ତେବେ ପ୍ରଶାସନ ସ୍କୁଲର ଉକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଯଥା ଶୀଘ୍ର ଉକ୍ତ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି।


