Categories: ବାଣିଜ୍ୟ

ସାପୁରଜୀ ଗ୍ରୁପ୍‌ ବିରୋଧରେ ସୁପ୍ରିମକୋର୍ଟରେ ଟାଟା ସନ୍ସ

ନୂଆଦିଲ୍ଲୀ,୧୩।୯:ଟାଟା ଗ୍ରୁପ୍‌ କମ୍ପାନୀ ପରିଚାଳନା କରୁଥିବା ଟାଟାସନ୍ସର ୨% ଅଂଶଧନ ବନ୍ଧକ ରଖିବା ଲାଗି ସାପୁରଜୀ ଗ୍ରୁପ୍‌ ଚାହୁଁଛି। ଏହାକୁ ନେଇ ପୁଣି ଥରେ ଦୁଇ ଅଂଶୀଦାରଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ସାମ୍ନାକୁ ଆସିଛି। ସାପୁରଜୀ ଗ୍ରୁପ୍‌ର ଏହି କାର୍ଯ୍ୟକଳାପ ବିରୋଧରେ ଟାଟାସନ୍ସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ସାପୁରଜୀ ଗ୍ରୁପ୍‌ର ଦାୟିତ୍ୱ ଭାର ସମ୍ଭାଳୁଥିବା ସାଇରସ ମିସ୍ତ୍ରିଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ହଟାଇବା ବେଳେ ଦୁଇ ଗ୍ରୁପ୍‌ର କଳି ସାମ୍ନାକୁ ଆସିଥିଲା। ପୁଣି ଥରେ ଏହି ଦୁଇ ଗ୍ରୁପ୍‌ର କଳି ସାମ୍ନାକୁ ଆସିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଟାଟା ସନ୍ସରେ ସାପୁରଜୀ ଗ୍ରୁପ୍‌ର ୧୮.୪% ଅଂଶଧନ ରହିଛି। ସାପୁରଜୀ ପାଲନଜୀ ଗ୍ରୁପ୍‌ ମୁଖ୍ୟତଃ ରିୟଲ ଇଷ୍ଟେଟ କାରବାର ସହ ଜଡିତ। ଏହି ଗ୍ରୁପକୁ ବର୍ତ୍ତମାନ ନଗଦ ଅର୍ଥ ଆବଶ୍ୟକ ପଡୁଛି। ଏଥିଲାଗି ଗ୍ରୁପ ଟାଟା ସନ୍ସରେ ରହିଥିବା ଏହାର ଅଂଶଧନ ମଧ୍ୟରୁ ୨% ଅଂଶଧନକୁ ବନ୍ଧକ ରଖିବାକୁ ଚାହୁଁଛି। ଏହି ଯୋଜନାରୁ ପ୍ରାୟ ୧୧ ହଜାର କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିବା ଲାଗି ଗ୍ରୁପ ଯୋଜନା ରଖିଛି।
ପ୍ରଥମ କିସ୍ତିରେ ୩,୭୫୦ କୋଟି ଟଙ୍କା ସଂଗ୍ରହ କରିବା ଲାଗି ସାପୁରଜୀ ଗ୍ରୁପ କ୍ରୁକ୍‌ଫିଲ୍ଡ ସହ ଚୁକ୍ତିରେ ସାମିଲ ହୋଇଛି। ଦ୍ୱିତୀୟ ଥର ଲାଗି ଏହି ଗ୍ରୁପ ଟାଟାସନ୍ସରେ ରହିଥିବା ଶେୟାର ବନ୍ଧକ ରଖିବା ଲାଗି ପ୍ରୟାସ କରିଥିଲା। ୨୦୨୦ ଏପ୍ରିଲରେ ସାପୁରଜୀ ଗ୍ରୁପ ଟାଟାସନ୍ସର ଶେୟାର ବନ୍ଧକ ରଖିବା ଲାଗି ପ୍ରୟାସ ଆରମ୍ଭ କରିଥିଲା। ସେହି ସମୟରେ ଟ୍ରାଞ୍ଜାକଶନ ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା। ଗ୍ରୁପର ମୁଖପାତ୍ର କହିଛନ୍ତି ଯେ, କୋଭିଡ୍‌ ଯୋଗୁ କାରବାର ଗଭୀର ଭାବେ ପ୍ରଭାବିତ ହୋଇଛି। ନିର୍ମାଣ କାର୍ଯ୍ୟ ଠପ୍‌ ହୋଇଯାଇଛି। କାମକୁ ପୁଣି ଥରେ ଆରମ୍ଭ କରିବା ଲାଗି ପୁଞ୍ଜିର ଆବଶ୍ୟକତା ରହିଛି। ଟାଟାସନ୍ସ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ଯୋଗୁ ଏହା ଦ୍ୱାରା ସାପୁରଜୀ ଲାଗି ଆର୍ଥତ୍କ କ୍ଷତି କରିବ। ଟାଟା ଗ୍ରୁପ୍‌ର ଆବେଦନକୁ ଖାରଜ କରିବା ଲାଗି ଆବେଦନ କରାଯିବ ବୋଲି ମୁଖପାତ୍ର ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଅଂଶଧନ ବନ୍ଧକ ରହୁ ବୋଲି ଟାଟା ସନ୍ସ ଚାହୁଁନାହିଁ। ଏ ନେଇ ସେପ୍ଟେମ୍ବର ୫ରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛି ଟାଟାସନ୍ସ। ଏହି ପ୍ରକ୍ରିୟା ଉପରେ ରୋକ ଲଗାଇବା ପାଇଁ ଆବେଦନରେ କୁହାଯାଇଛି। ଟାଟା ଗ୍ରୁପ ପକ୍ଷରୁ କୁହାଯାଇଛି ଯେ, ବନ୍ଧକ ରଖାଯାଇଥିବା ଶେୟାର ଭବିଷ୍ୟତରେ ଟ୍ରାନ୍ସଫର ହୋଇପାାରେ। ଆର୍ଟିକିଲ ଅଫ୍‌ ଆସୋସିଏଶନ ନିୟମ ମୁତାବକ ଯଦି କୌଣସି ସଦସ୍ୟ ଶେୟାର ବିକ୍ରି କରିବାକୁ ଚାହାନ୍ତି ତେବେ ଶେୟାର ଉଚିତ ମୂଲ୍ୟରେ କ୍ରୟ ପ୍ରସଙ୍ଗରେ ଟାଟା ସନ୍ସ ବୋର୍ଡ ଅଗ୍ରାହ୍ୟ କରିବାର ଅଧିକାର ରହିଛି।

Share