Categories: ବାଣିଜ୍ୟ

ବିଗ୍‌ ବାସ୍କେଟରେ ଅଂଶଧନ କିଣିପାରେ ଟାଟା ଗ୍ରୁପ୍‌

ନୂଆଦିଲ୍ଲୀ: ଅନ୍‌ଲାଇନରେ ଗ୍ରସେରି କ୍ଷେତ୍ରରେ ପ୍ରମୁଖ କମ୍ପାନୀ ବିଗ୍‌ ବାସ୍କେଟରେ ଟାଟା ଗ୍ରୁପ୍‌ ଅଂଶଧନ ହାସଲ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ବିଗ୍‌ ବାସ୍କେଟ ଏହାର ବୃହତ୍‌ ପରିମାଣର ଅଂଶଧନକୁ ଟାଟାକୁ ବିକିପାରେ ବୋଲି ଶୁଣାଯାଉଛି। ଏହି ଡିଲ ଲାଗି ୨ କମ୍ପାନୀର ଅଲୋଚନା ବର୍ତ୍ତମାନ ଜାରି ରହିଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବିଗ୍‌ ବାସ୍କେଟରେ ଏହାର ପ୍ରାୟ ୫୦% ଅଂଶଧନ ଟାଟା ଗ୍ରୁପ୍‌କୁ ୭ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟରେ ବିକ୍ରି କରିବା ନେଇ ଆଲୋଚନା ହେଉଛି। ବିଗ୍‌ ବାସ୍କେଟରେ ଚାଇନା କମ୍ପାନୀ ଆଲିବାବାର ପ୍ରାୟ ୨୬% ଅଂଶଧନ ରହିଛି। ଚାଇନାର ଏହି କମ୍ପାନୀ ବିଗ୍‌ ବାସ୍କେଟରେ ରହିଥିବା ଏହାର ସମ୍ପୂର୍ଣ୍ଣ ଅଂଶଧନ ବିକିଦେବ ବୋଲି ମଧ୍ୟ ଶୁଣାଯାଉଛି। ବିଗ୍‌ ବାସ୍କେଟରେ ବର୍ତ୍ତମାନ ଆସେଣ୍ଟ କ୍ୟାପିଟାଲ, ସିଡିସି ଗ୍ରୁପ୍‌, ଅରବାଜ ଗ୍ରୁପ୍‌ର ମଧ୍ୟ ଅଂଶଧନ ରହିଛି। ଏହି କମ୍ପାନୀଗୁଡିକ ମଧ୍ୟ ନିଜର କିଛି କିଛି ଅଂଶଧନ ବିକିବା ସପକ୍ଷରେ ରହିଛନ୍ତି। ଟାଟା ଡିଜିଟାଲ ଜରିଆରେ ଏହି ଡିଲ ହୋଇପାରେ ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି।

Share