୧୩ରେ ତପୋବନ ମେଳା

ଢେଙ୍କାନାଳ ଅଫିସ, ୩୧।୧୦: ମହିମା ଧର୍ମର ଆଦିପୀଠ ତପୋବନରେ ଆସନ୍ତା ୧୩ ତାରିଖରେ ବାର୍ଷିକ ମେଳା ଅନୁଷ୍ଠିତ ହେବ। କୋଭିଡ୍‌ କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏ ନେଇ ଶନିବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି କୋଭିଡ୍‌ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ଆଣି ନ ଥିଲେ ତତ୍କାଳ କୋଭିଡ୍‌ ପରୀକ୍ଷା ହେବ। ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ ରକ୍ଷା ପ୍ରତି ଧ୍ୟାନ ଦିଆଯିବ। ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ମେଳା ପୂର୍ବରୁ ପୀଠକୁ ଯାଇଥିବା ରାସ୍ତା ମରାମତି କରାଯିବ। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଅସ୍ଥାୟୀ ପାଇଖାନା ସହିତ ପାନୀୟ ଜଳଯୋଗାଣ ବ୍ୟବସ୍ଥା ହେବ। ଭାରପ୍ରାପ୍ତ ଉପଜିଲାପାଳ ରବିନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି, ଡେପୁଟି କଲେକ୍ଟର ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା, ମହିମା ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ, ମହିମା ସନ୍ନ୍ୟାସୀ ବାବା ରଘୁନାଥ ଦାସ, ବାବା କରୁଣାକର ଦାସ, ସୁଶାନ୍ତ ବାବା, ଜ୍ଞାନୀ ବାବା, ବାବା ନିରାକାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପୀଠରେ ସୋଲାର ଲାଇଟ୍‌ ଲଗାଇବାକୁ ଦାବି ହୋଇଛି।