ଚେନ୍ନାଇ,୩ା୧୧: ତାମିଲନାଡୁରେ ୨୦୨୬ରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହା ପରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କରାଇବା ପାଇଁ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କୁ ନିବେଦନ କରି ରବିବାର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ନେତୃତ୍ୱରେ ସର୍ବଦଳୀୟ ବୈଠକରେ ଏକ ସଂକଳ୍ପନାମା ଗୃହୀତ ହୋଇଛି। ନିର୍ବାଚନୀ ଗଣତନ୍ତ୍ରର ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଇସିଆଇ ସଂଶୋଧନ ପ୍ରକ୍ରିୟା ରୋକିବାରେ ବିଫଳ ହେଲେ ତାମିଲନାଡୁ ସରକାର ସୁପ୍ରିମକୋର୍ଟ ଯିବା ନେଇ ବୈଠକରେ ସ୍ଥିର ହୋଇଛି। ଏସ୍ଆଇଆର୍କୁ ନେଇ ଦେଖାଦେବାକୁ ଥିବା ବିଭିିନ୍ନ ବାସ୍ତବ ସମସ୍ୟା ଓ ସନ୍ଦେହ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ନିର୍ବାଚନ କମିଶନ ଦାୟିତ୍ୱପୂର୍ଣ୍ଣ ଏବଂ ନିରପେକ୍ଷ ଭାବେ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବା ଉଚିତ। କିନ୍ତୁ ଏହା କେନ୍ଦ୍ରରେ କ୍ଷମତାରେ ଥିବା ଦଳ ତରଫରୁ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ବିହାର ଏସ୍ଆଇଆର୍ ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଥିବାବେଳେ ତାମିଲନାଡୁ ସମେତ ଅନ୍ୟ କେତେକ ରାଜ୍ୟରେ ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଗତ ଅକ୍ଟୋବର ୨୭ରେ ବିଜ୍ଞପ୍ତି ଜାରି କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ତାମିଲନାଡୁ ଜନସାଧାରଣଙ୍କ ଭୋଟ ଅଧିକାର ପ୍ରତି ଆକ୍ରମଣ ବୋଲି ସଂକଳ୍ପନାମାରେ କୁହାଯାଇଛି।
Dharitri – The Largest & Most Trusted Odia Daily


